ଶନିବାର ଲୁଟେରାଙ୍କୁ ପଡିଲା ଶନିଦଶା। ଆସିଥିଲେ ଚେନ୍ ଲୁଟିବାକୁ, ହେଲେ ମହିଳାଙ୍କଠୁ ଛେଚା ଖାଇ ଧରା ପଡିଲେ

ସାହାସିକତା ପାଇଁ କମିସନରେଟ୍ ପୋଲିସର ସମ୍ବର୍ଦ୍ଧନା

217

କନକ ବ୍ୟୁରୋ: ଶନିବାର ଲୁଟେରାଙ୍କୁ ପଡିଲା ଶନିଦଶା । ଆସିଥିଲେ ଚେନ୍ ଲୁଟିବାକୁ , ହେଲେ ସ୍ମାର୍ଟସିଟିର ମହିଳାଙ୍କ ଠାରୁ ଛେଚା ଖାଇଲେ, ଧରା ପଡିଲେ । ଭୁବନେଶ୍ୱର ଜିଜିପି କଲୋନୀ ନିକଟରେ ଅଭିଜିତାଙ୍କ ସାହସୀକତା କାରଣରୁ ଫେଲ୍ ମାରିଛି ଲୁଟେରାଙ୍କ ଲୁଟ୍ ଯୋଜନା । ସାହସୀକତା ପାଇଁ କମିଶନରେଟ୍ ପୋଲିସ ସାହସୀ ମହିଳାଙ୍କୁ ସମ୍ୱର୍ନ୍ଧନା ଦେଇଛି । ଏବେ ରାଜଧାନୀରେ ଚର୍ଚ୍ଚା , ମହିଳା ହେବ ତ ଏମିତି ।

ସ୍ଥାନ : ଜିଜିପି କଲୋନୀର ମଳୟ ବିହାର । ସମୟ : ଦିନ ପ୍ରାୟ ୧୧ଟା । ଲୁଟେରାଙ୍କ ଟାର୍ଗେଟରେ ଥିଲେ ମହିଳା । ରାସ୍ତାରେ ଘରକୁ ଫେରୁଥିବା ଅଭିଜିତାଙ୍କୁ ଠିକଣା ପଚାରିବା ବାହାନାରେ ସୁନା ଚେନ୍ ଲୁଟ ପାଇଁ ଉଦ୍ୟମ କରୁଥିଲେ ୨ ଲୁଟେରା । ହେଲେ ପଛକୁ ହଟି ନଥିଲେ କିମ୍ୱା ସାହସ ହରାଇନଥିଲେ ଅଭିଜିତା । ବେକରୁ ସୁନାଚେନ୍ ଝାମ୍ପିବା ମାତ୍ରେ ଲୁଟେରାଙ୍କୁ ଦେଲେ ମୁହଁତୋଡ ଜବାବ । ଆରମ୍ଭ ହେଲା ଲୁଟେରା ଓ ମହିଳାଙ୍କ ଭିତରେ ହାତାହାତି ।

ଲୁଟେରାଙ୍କ ହାତରେ ଥିଲା ଅଭିଜିତାଙ୍କ ସୁନାଚେନ୍ । ହେଲେ ଅଭିଜିତାଙ୍କ ପାଲଟା ଆକ୍ରମଣ ଆଗରେ ଏହାକୁ ଝାମ୍ପିନେବା ଏତେ ସହଜ ନଥିଲା । କିଛି ସମୟ ପାଇଁ ବିଚ୍ ରାସ୍ତାରେ ଚାଲିଲା ଲଢ଼େଇ । ଲୁଟେରାଙ୍କ ଆକ୍ରମଣରେ ଆହତ ହେଲେ ମହିଳା , କିନ୍ତୁ ଛାଡିଲେନି ସୁନା ଚେନ୍ । ଶେଷରେ ଜଣେ ଲୁଟେରାକୁ କାବୁ କଲେ । ଅନ୍ୟ ଜଣେ ଖସିଗଲା ।

ମହିଳା ହେବ ତ’ ଏମିତି । ସାହାସୀ ମହିଳାଙ୍କୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା । ରାସ୍ତାରେ ଲଢେଇ କଲେ, ଆହତ ବି ହେଲେ । ଶେଷରେ କାବୁ କଲେ ଲୁଟେରାକୁ । ଏପରି ସାହାସୀ ମହିଳାଙ୍କୁ କମିଶନରେଟ ପୁଲିସ ସାବାସୀ ଦେବା ସହିତ ସମ୍ବର୍ଦ୍ଧିତ କରିଛି । ଗତ କିଛିଦିନ ଧରି ରାଜଧାନୀର ବିଭିନ୍ନ ଅଂଚଳରେ ମହିଳାଙ୍କୁ ଟାର୍ଗେଟ କରିଆସୁଛନ୍ତି  ଲୁଟେରା । ହେଲେ ଶନିବାର ଅଭିଜିତା ଯେପରି ସାହାସିକତା ଦେଖାଇଛନ୍ତି, ସେ ଏବେ ଅନ୍ୟ ପାଇଁ ପାଲଟିଛନ୍ତି ଉଦାହରଣ ।