ଯାଜପୁରରେ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ । ପୂର୍ବତନ ସରପଞ୍ଚ ଓ ତାଙ୍କ ସମ୍ପର୍କୀୟ ମିଶି କଲେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ।

203

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଚଷାଖଣ୍ଡ ପଞ୍ଚାୟତର ଦଳିତ ମହିଳା ସରପଞ୍ଚ ପ୍ରତିଭା ମଲ୍ଲିକ ଓ ତାଙ୍କ ସ୍ୱାମୀ ରଂଜନ ମଲ୍ଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି ଚଷାଖଣ୍ଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ସ୍ୱାମୀ ତଥା ବିଜେଡି ନେତା ସୁବାସ ମହଲା । ବିଜେଡି ନେତା ଓ ତାଙ୍କ ସାନ ଭାଇ ଆଶିଷ ମହଲା ମିଶି ବାଉଁଶ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଗୁରୁତର ଅବସ୍ଥାରେ ସରପଞ୍ଚ ପ୍ରତିଭା ଓ ତାଙ୍କ ସ୍ୱାମୀ ରଂଜନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକକୁ ସ୍ଥାନାନ୍ତର କରାଯାଇଛି । ଏନେଇ ପରିବାର ପକ୍ଷରୁ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଚଷାଖଣ୍ଡ ପଞ୍ଚାୟତରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ଘରକୁ ଘର ପାଇଁ ବିଛା କାମ ଜାରି ରହିଛି । ଏହାକୁ ପୂର୍ବତନ ସରପଞ୍ଚ ସୁବାସ ମହଲା ବିରୋଧ କରିବାରୁ ଛକାପଂଝା ଚାଲିଥିଲା । ଗୁରୁବାର ବ୍ଲକ କାର୍ଯ୍ୟାଳୟରୁ ଫେରୁଥିବା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ମାଣିକେଇ ଛକରେ ଅଟକାଇ ପାଟିତୁଣ୍ଡ କରିଥିଲେ ସୁବାସ ମହଲା । ଏହାକୁ ନେଇ କଥା କଟାକଟି ହେବା ପରେ ସୁବାସ ମହଲା, ତାଙ୍କ ସାନ ଭାଇ ଆଶିଷ ମହଲା ବାଉଁଶ ଠେଙ୍ଗା ଓ ପଥରରେ ପ୍ରତିଭା ଓ ରଂଜନଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ । ଚଷାଖଣ୍ଡ ପଞ୍ଚୟତର ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଉଭୟ ବିଜେଡିର କର୍ମୀ । ହେଲେ ଗତ ନିର୍ବାଚନରୁ ଆରମ୍ଭ ହୋଇଥିବା ରାଜନୈତିକ ତିକ୍ତତାରୁ ଏହି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି ।