ବ୍ରହ୍ମପୁର ପରେ ବାଲିଗୁଡାରୁ ଆସିଲା ପୁଲିସ ନାଲିଆଖିର ଚିତ୍ର : ବଜାର ମଝିରେ ପରିବା ବେପାରୀଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ, ପୁଲିସର ଯୁକ୍ତି; ଗଳାବାଟ ଦେଇ ଗଞ୍ଜାମରୁ ଆସିଥିଲେ ବ୍ୟବସାୟୀ

529

କନକ ବ୍ୟୁରୋ : କରୋନା କାଳରେ ବାଲିଗୁଡାରୁ ଆସିଛି ସଙ୍ଗୀନ ଚିତ୍ର । ବ୍ରହ୍ମପୁର ପରେ ଜି.ଉଦୟଗିରିରେ ପୋଲିସ ଦେଖାଇଲା ନାଲିଆଖି । ପରିବା ବିକ୍ରି କରୁଥିବା ବୁଲା ବିକାଳିଙ୍କୁ ରାସ୍ତାରେ ଦେଖିବା ପରେ ପିଟିଲା ପୋଲିସ । ବୁଲି ବୁଲି ପରିବା ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ପୋଲିସ ମାଡ ମାରୁଥିବା ଭିଡିଓ ଏବେ ଭାଇରାଲ୍ ହେଉଛି ।  ଏହି ଘଟଣା ଜିଉଦୟଗିରି ବଜାରରେ ଘଟିଛି । ସଂପୃକ୍ତ ବ୍ୟବସାୟୀ ଜଣକ ଗଂଜାମ ଜିଲ୍ଲାରୁ ଗଳାବାଟ ଦେଇ ଆସି ଜିଉଦୟଗିରିରେ ପରିବା ବିକ୍ରି କରୁଥିବା ନେଇ ପୋଲିସ ଅଭିଯୋଗ ଆଣିଛି । ତେବେ ପ୍ରଶ୍ନ ଉଠୁଛି କରୋନା କଟକଣା ସମୟରେ ବ୍ୟବସାୟୀଙ୍କ ପ୍ରତି ପୋଲିସର ଏପରି ବ୍ୟବହାର କେତେଦୂର ଠିକ୍ ।

ନିକଟରେ ବ୍ରହ୍ନପୁରରୁ ମଧ୍ୟ ଆସିଥିଲା ଏପରି ଏକ ଚିତ୍ର । ଗୋଷାଣୀନୂଆଗାଁ ଅଂଚଳରେ କଦଳୀ ଫେରି କରି ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କ ଠାରୁ କଦଳୀ ଝୁଡି ଟେକି ନେଇଥିଲେ ପୋଲିସ । ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ବ୍ରହ୍ମପୁର ଏସପି ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ତାଙ୍କର କଦଳୀ ଫେରାଇବ ସହ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏହି ଘଟଣା ମନରୁ ନଲିଭୁଣୁ ଜିଉଦୟଗିରିରୁ ଆସିଛି ପୋଲିସର ଏପରି ନାଲିଆଖିର ଦୃଶ୍ୟ ।