ଫୋନି ସମୟରେ ଦେବଦୂତ ସାଜିଲେ ଓଡିଶା ପୋଲିସର ମହିଳା ବ୍ରିଗେଡ । କିଏ ଗାଡିରେ ବସାଇ ଲୋକଙ୍କୁ ଉଦ୍ଧାର କଲେ ତ ପୁଣି କିଏ ରାତି ଅଧରେ ରାସ୍ତାରୁ ଗଛ ସଫା କରି ଚର୍ଚ୍ଚାକୁ ଆସିଲେ । ଦେଖନ୍ତୁ କିଛି ଫଟୋ ।

315

କନକ ବ୍ୟୁରୋ : ଫୋନି ଆସିଲା, ତାଣ୍ଡବ ରଚିଲା ଆଉ ଚାଲିଗଲା । କିନ୍ତୁ ଫୋନିକୁ ନେଇ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏମିତି ଜଣେ ମହିଳା ପୋଲିସ ଅଫିସର ଯାହାଙ୍କୁ ଆପଣ ସାଲ୍ୟୁଟ ନକଲେ ମଧ୍ୟ ରହିପାରିବେ ନାହିଁ । କେବଳ ଜଣେ ନୁହେଁ ପୋଲିସ ବିଭାଗର ଏମିତି ଅନେକ ମହିଳା ପୋଲିସ ଅଫିସର ଫୋନି ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜି ଉଭା ହୋଇଛନ୍ତି । ଫୋନି ଆସିବା ପୂର୍ବରୁ ଓ ପରେ ପୋଲିସ ବିଭାଗର ଏହି ମହିଳା ବ୍ରିଗେଡ ଯେଉଁ ଅଦମ୍ୟ ସାହାସ ଦେଖାଇଛନ୍ତି ସେମାନଙ୍କୁ ଯେତେ ପ୍ରଂଶସା କଲେ ମଧ୍ୟ କମ ହେବ । ବାତ୍ୟା ପୂର୍ବରୁ ସାଙ୍ଗରେ ଧରି ନିରାପଦ ସ୍ଥାନକୁ ନେବା ହେଉ ଅବା ବାତ୍ୟା ଥମିଯିବା ପରେ ରାସ୍ତାକଡର ଗଛ ଉଠାଇବା ଠାରୁ ଆରମ୍ଭ କରି ମେଡିକାଲକୁ ଆସୁଥିବା ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ହେଉ । ପ୍ରତ୍ୟେକ କ୍ଷେତ୍ରରେ ନିଜର ସେବା ମନୋବୃତ୍ତି ଦେଖାଇ ମନ ଜିଣି ନେଇଛନ୍ତି ପୋଲିସ ବିଭାଗର ମହିଳା ବ୍ରିଗେଡ ।

କିଟିକିଟି ଅନ୍ଧାର ରାତି, ବର୍ଷା ପବନ ମଧ୍ୟ ଏମାନଙ୍କ ଜୋଶ ଆଗରେ ଫିକା ପଡିଛି । ବାତ୍ୟା ଫୋନି ଆସିବା ପୂର୍ବରୁ ଏମିତି କିଛି ଚିତ୍ର ଆସିଥିଲା ଯାହା ପୋଲିସ ବିଭାଗ ପ୍ରତି ଲୋକଙ୍କର ମନୋଭାବକୁ ବଦଳାଇବାକୁ ବାଧ୍ୟ କରିଥିଲା । ଯେତେବେଳେ ନେତାଙ୍କର ଦେଖା ମିଳିନଥିଲା ସେତେବେଳେ ପୋଲିସ ସାଜିଥିଲା ଲୋକଙ୍କ ପାଇଁ ଦେବଦୂତ । ଫୋନି ଲ୍ୟାଣ୍ଡଫଲ କରିବା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ପୋଲିସ ଷ୍ଟେସନର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହି ମହିଳା ଜଣଙ୍କ ନିଜର କାର୍ଯ୍ୟନିଷ୍ଠା ପାଇଁ ଏବେ ଚାରିଆଡୁ ପ୍ରଂଶସିତ ହେବାରେ ଲାଗିଛନ୍ତି ।

ଫୋନି ଆସିବା ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ତାଳଚୁଆ ପୋଲିସ ଥାନାର ମହିଳା ଥାନା ଅଧିକାରୀଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ବୟସ୍କ ଲୋକ ଓ ଗର୍ଭବତୀ ମହିଳାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବାକୁ ନିଜେ ଗାଡି ଧରିଥିଲେ ଏହି ମହିଳା ଥାନା ଅଧିକାରୀ । କୌଣସି ସରକାରୀ ଗାଡି ଆସିବା ପୂର୍ବରୁ ଏହି ମହିଳା ପୋଲିସ ଅଧିକାରୀ ଜଣକ ଲୋକଙ୍କୁ ବାଇକରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସେହିଭଳି ଭଦ୍ରକରେ ମଧ୍ୟ ମହିଳା ପୋଲିସ ଅଫିସର ଦେଖାଇଛନ୍ତି ଅଦମ୍ୟ ସାହସ । ବାତ୍ୟା ଫୋନି ବିଦାୟ ନେବା ପରେ କିଟିମିଟି ଅନ୍ଧାରରେ ରାସ୍ତାକୁ ଓହ୍ଲାଇଥିଲେ ଭଦ୍ରକର ମହିଳା ପୋଲିସ ଅଫିସର । ହାତରେ କଟୁରୀ ଧରୀ ଗଛ କାଟିବା ଆରମ୍ଭ କରିଥିଲେ ଏହି ମହିଳା ପୋଲିସ । ରାତିର ଅନ୍ଧାରକୁ ଖାତିର ନ କରି ଭଦ୍ରକ ରାଜରାସ୍ତାରୁ ହଟାଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ବଡ ମହାଦ୍ରୁମ । ଆଉ ସକାଳ ହେବା ବେଳକୁ ପୁଣିଥରେ ସ୍ୱାଭାବିକ ହୋଇଥିଲା ଗମନାଗମନ ।

ସେହିଭଳି ଅନ୍ୟ ଜଣେ ମହିଳା ଅଫିସର ମଧ୍ୟ ନିଜ ପୋଲିସ ସାଥୀଙ୍କ ସହ ମିଶି ଗଛ ଉଠାଉଥିବାର ଚିତ୍ର ସାମ୍ନାକୁ ଆସିଛି ।
ବାଲେଶ୍ୱରରେ ଫୋନିର ପ୍ରଭାବ ସେଭଳି ଦେଖିବାକୁ ମିଳିନଥିଲେ ମଧ୍ୟ ମହିଳା ପୋଲିସଙ୍କ କାର୍ଯ୍ୟକୁ ବେଶ ପ୍ରଂଶସା କରାଯାଇଛି ।

ଫୋନି ଆସିବା ପୂର୍ବରୁ ଜଣେ ଶିଶୁକନ୍ୟାକୁ ମହିଳା ପୋଲିସ ଅଫିସର ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଥିବାର ଫଟୋ ମଧ୍ୟ ଭାଇରାଲ ହୋଇଛି ।

କେନ୍ଦ୍ରାପଡାରୁ ମଧ୍ୟ ମହିଳା ପୋଲିସ ଅଫିସରଙ୍କ ସାହସିକ କାର୍ଯ୍ୟର ଚିତ୍ର ସାମ୍ନାକୁ ଆସିଛି । ବାତ୍ୟା ପୂର୍ବରୁ ମହିଳା ମାନଙ୍କୁ ଏହି ପୋଲିସ ଅଫିସର ମାନେ ନିରାପଦ ସ୍ଥାନକୁ ନେଉଥିବାର ଫଟୋ ଓଡିଶା ପୋଲିସ ଟ୍ୱିଟ୍ କରିଛି ।

କେବଳ ବାତ୍ୟା ପୂର୍ବରୁ କିମ୍ବା ପରେ ନୁହେଁ ବରଂ ବାତ୍ୟା ସମୟରେ ମଧ୍ୟ ଲୋକଙ୍କ ସହ ପ୍ରତିଟି ମୁହୂର୍ତ୍ତ ବିତାଇଥିଲେ ମହିଳା ପୋଲିସ ଅଫିସର । ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ଭୟଭୀତ ନ ହେବାକୁ ମହିଳା ପୋଲିସ ଅଫିସର ବୁଝାଉଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।