ଅଫିସର ହବ ତ ଏମିତି । ବଣ ପାହାଡ ଦେଇ ଲୋକଙ୍କ ପାଖରେ ପହଞ୍ଚି ଦୁଃଖସୁଖ ବୁଝୁଥିବା ଲେଡି ଆଇଏଏସ୍ ଆନ୍ୟା ଦାସ

249

କନକ ବ୍ୟୁରୋ:  ଯେଉଁଠି ପାଦ ପକାଇବାକୁ ସରକାରୀ ବାବୁମାନେ ଅମଙ୍ଗ ହୁଅନ୍ତି ସେଠିକି ଆଜି ଆସିଛନ୍ତି ଆଇଏଏସ୍ ଅଫିସର । ତାଙ୍କୁ ଦେଖି ସରଳ ସାଧାସିଧା ଆଦିବାସୀ ଲୋକଙ୍କ ଖୁସି କହିଲେ ନସରେ । ବଡ ବାବୁଆଣୀ ତାଙ୍କ ଭଲମନ୍ଦ ବଝିବେ ଦୁଃଖ ଦୂର କରିବେ । ସେଥିପାଇଁ ଖୁସି ଆକାଶଛୁଆଁ । ମାଡାମଙ୍କ ବେକରେ ଫୁଲମାଳ ପିନ୍ଧାଇ ପାଛୋଟି ନେଉଛନ୍ତି । ମହିଳା ଆଇଏଏସ୍ ଅଫିସର ବି ଏ ସରକଳ ମଣିଷମାନଙ୍କୁ ପାଖରେ ପାଇ ବେଶ୍ ଖୁସି । ପାହାଡିଆ ଦୁର୍ଗମ ରାସ୍ତାରେ ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଏବଂ ଦୁଃଖ ସୁଖ ବୁଝିଛନ୍ତି । ଇଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଆଇଏଏସ୍ ଆନ୍ୟା ଦାସ ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ୫ଟି ଗାଁ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ଶାଖାର ଢିପଗୁଡା ଜଳ ଭଣ୍ଡାର ଏମାନଙ୍କ ପାଇଁ ବାଧକ ହେଉଛି । ନାଁ ଯା ଆସ କରିବାକୁ ସୁବିଧା ଅଛି । ନା ଅଛି ପାନୀୟ ଜଳ ଓ ବିଜୁଳିର ବ୍ୟବସ୍ଥା । ଚାରିଆଡେ ଜଳଭଣ୍ଡାର ଥିଲେ ବି ଖରାଦିନେ କିନ୍ତୁ ପିଇବା ପାଣିଟିକେ ପାଇଁ ୫ଖଣ୍ଡି ଗାଁର ଲୋକେ ଡହଳବିକଳ । ଏସବୁ ସମସ୍ୟାର ନିଦାନ ଖୋଜିବାକୁ ଲୋକଙ୍କ ପାଖରେ ପହଞ୍ଚିଥିଲେ ଜିଳ୍ଲା ଉନ୍ନୟନ ଅଧିକାରୀ ଆଇଏଏସ୍ ଆନ୍ୟା ଦାସ ।

ବିଡିଓ ଓ ଅନ୍ୟକର୍ମଚାରୀଙ୍କ ସହ ଢେପଗୁଡା ଜଳଭଣ୍ଡାରକୁ ବୋଟରେ ପାରି ହେବା ପରେ ଘାଟଗୁଡାରେ ପହଞ୍ଚିଥିଲେ । ସେଠାରୁ ପାହାଡ ଉପରେ ଅଙ୍କାବଙ୍କା ରାସ୍ତାରେ ୪ କିଲୋମିଟର ବାଟ ଚାଲିଚାଲି ଯାଇ ଗୁରୁମାଇଁ ଗୁଡାଗାଁରେ ପହଞ୍ଚିଥିଲେ । ସେଠାରେ ଗାଁ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ଗାଁ ସ୍କୁଲକୁ ଯାଇ ପିଲାମାନଙ୍କ ପାଠପଢା ଦେଖିବା ପରେ ଅଙ୍ଗନବାଡି ଯାଇ ମହିଳା ଓ ଶିଶୁଙ୍କ ପ୍ରତି ଲାଗୁ ହୋଇଥିବା ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ ପଚାରି ବୁଝିଥିଲେ ।

ଗାଁ କୁ ଗାଁ ବୁଲି ଲୋକଙ୍କ ସହ ଆଲୋଚନା କରିବା ପରେ ସେମାନଙ୍କ ପାଇଁ ରାସ୍ତା ନିର୍ମାଣ କରାଇବା ସହ ଜଳ ଯୋଗାଣ ଓ ବିଜୁଳି ଯୋଗାଇବା ନେଇ ପ୍ରତିଶୁତି ଦେଇଥିଲେ ଜିଲ୍ଲା ଉନ୍ନୟନ ଅଧିକାରୀ ଆନ୍ୟା ଦାସ । ତାଙ୍କର ଏପରି ଗସ୍ତକୁ ପୁରା ଇଲାକାରେ ପ୍ରଶଂସା କରାଯାଉଛି ।

ଆନ୍ୟା ଦାସ ହେଉଛନ୍ତି ୨୦୧୮ ବ୍ୟାଚର ଆଇଏଏସ୍ । ଜଗତସିଂପୁର ତୋଟପଡା ଗାଁର ଅନ୍ୟା ଦାସ ୨୦୧୮ରେ ୬୦ତମ ରାଙ୍କ ରଖି ୟୁପିଏସସି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ । ପ୍ରଥମେ ଝାଡଖଣ୍ଡରୁ ପ୍ରଶାସନିକ ସେବାରେ ଯୋଗ ଦେଇଥିବାବେଳେ ଏବେ ସେ ନବରଙ୍ଗପୁରରେ ଜିଲ୍ଲା ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସବୁବେଳେ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ଓ ଏହାକୁ ସମାଧାନ କରିବାରେ ବିଶ୍ୱାସ ରଖୁଥିବା ଆନ୍ୟା ଦାସଙ୍କ ପାଇଁ ମନରୁ ଗୋଟିଏ କଥା ବାହାରିବା ସ୍ୱାଭାବିକ, ‘ଅଫିସର ହେବ ତ ଏମିତି’ ।