ମାଟ୍ରିମୋନିରେ ବିବାହ । ଫସିଗଲେ ଓଏଏସ ଅଧିକାରୀ! ସ୍ୱାମୀଙ୍କ ସତ ଜାଣିବା ପରେ ବିବାଦ

1,825

କନକ ବ୍ୟୁରୋ: ବାହାଘର ବେଳେ ଅଫିସର କହିଥିଲେ କିନ୍ତୁ ୩ ମାସ ପରେ ପତ୍ନୀ କହିଲେ ଠକି ଦେଲେ ସ୍ୱାମୀ । ଜୟପୁର ପାରାବେଢ଼ାର ରୁଦ୍ରନାଥ ରଥଙ୍କ ପୁଅ ହରିହର ରଥ ଦିଲ୍ଲୀରେ ନାଲକୋର ଏକ ବଡ ଅଧିକାରୀର ପରିଚୟ ଦେଇ ବିବାହ କରିଥିଲେ । ହେଲେ ତାହା ମିଛ ବୋଲି ଏବେ କହିଛନ୍ତି ତାଙ୍କ ପତ୍ନୀ ତଥା ଓଏଏସ ଅଧିକାରୀ ।

  • ମାଟ୍ରିମୋନିରେ ବିବାହ
  • ଫସିଗଲେ ଓଏଏସ ଅଧିକାରୀ!
  • ସ୍ୱାମୀଙ୍କ ସତ ଜାଣିବା ପରେ ବିବାଦ

ବିଳମ୍ବିତ ରାତି । ଘର ଭିତରେ ପାଟିତୁଣ୍ଡ ଚାଲିଛି । ବୋହୂ ଶାଶୂ, ଶଶ୍ୱରଙ୍କ ସହ କଥା କଟାକଟି । ଆଉ ସାଙ୍ଗରେ ଅଛନ୍ତି ବାପ ଘର ଲୋକ । ଏହି ନବ ବିବାହିତ ବୋହୂ ଜଣଙ୍କ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି । ବରଂ ଜଣେ ଓଏଏସ ଅଧିକାରୀ । ବିବାଦର କାରଣ ହେଲା ଓଏଏସ ଅଧିକାରୀ ଜଣଙ୍କ ମାଟ୍ରିମୋନି ସାଇଟରେ ପସନ୍ଦ କରି ବିବାହ କରିଥିଲେ । ହେଲେ ଏବେ ସ୍ୱାମୀ ଚାକିରି ନେଇ ମାଟ୍ରିମୋନିରେ ଦେଇଥିବା କଥା ମିଛ ବୋଲି ଜାଣିବାକୁ ପାଇଛନ୍ତି । ଆଉ ତାପରେ ଶାଶୁଘରେ ପହଁଚି ସ୍ୱାମୀ କେଉଁଠି ଚାକିରି କରୁଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । କେଉଁଠି ଅଛନ୍ତି ବୋଲି ତାର ଲାଇଭ୍ ଲୋକେସନ ପଠାଇବାକୁ କହିଥିଲେ । ହେଲେ, ଯୁବକ ଜଣଙ୍କ ନପଠାଇବାରୁ ସେ ଠକାମିର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ଶାଶୂଘର ଲୋକଙ୍କ ବିରୋଧରେ ଅଭିଯୋଗକାରିଣୀ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

କୋରାପୁଟ ଜିଲ୍ଲା ଜୟପୁର ସହରର ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମେଟ୍ରୋମନିଆଲ ସାଇଟ ଦେଖି ଗତ ଫେବ୍ରୁଆରି ୯ତାରିଖରେ ଜୟପୁର ପାରାବେଢ଼ାର ଲିଙ୍ଗରାଜନଗର ଅଞ୍ଚଳର ରୁଦ୍ରନାଥ ରଥଙ୍କ ପୁଅ ହରିହର ରଥଙ୍କ ସହ ବାହା ହୋଇଥିଲେ ଓଏଏସ ଅଧିକାରୀ । ହରିହର ମେଟ୍ରୋମନିଆଲ ସାଇଟରେ ନାଲକୋର ନୂଆଦିଲ୍ଲୀସ୍ଥିତ ବ୍ୟବସାୟିକ କାର୍ଯ୍ୟାଳୟରେ ଡେପୁଟି ମ୍ୟାନଜର ଭାବେ କାମ କରୁଥିବା ଦର୍ଶାଇଥିଲେ । ଆଉ ଏବେ ବିବାହର ୩ ମାସ ହରିହର ନାଲକୋରେ ଚାକିରି କରୁଛନ୍ତି ବୋଲି ମିଛ କହି ତାଙ୍କୁ ଠକିଥିବା ଓଏଏସ ଅଧିକାରୀ ଅଭିଯୋଗ କରିଛନ୍ତି । ତେବେ ହରିହରଙ୍କ ମା କହିଛନ୍ତି, ସେ ଦିଲ୍ଲୀ ଯାଇଥିଲେ । ଯେଉଁଠି ପୁଅର ଅଫିସ ରହିଛି । ତେବେ ଥାନାରେ ଏତଲା ପରେ ହରିହରଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ପୋଲିସ ଛାଡି ଦେଇଥିବା ଜଣାପଡିଛି ।

ଉଭୟ ସ୍ୱାମୀ-ସ୍ତ୍ରୀ ଉଚ୍ଚ ଶିକ୍ଷିତ । ପରିବାର ଲୋକଙ୍କ ସହମତିରେ ବିବାହ ହୋଇଛି । ଏଭଳି ସ୍ଥିତିରେ ଏବେ ଓଏଏସ ଅଧିକାରୀ ଜଣଙ୍କ ଯେଉଁ ପ୍ରଶ୍ନ ଉଠାଇଛନ୍ତିି ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି ।