ବାପା କରୁଥିଲେ ଗାଡି ଫ୍ୟାକ୍ଟ୍ରିରେ କାମ, ଆର୍ଥିକ ଅବସ୍ଥା ବି ସ୍ୱଚ୍ଛଳ ନଥିଲା । ୪ଥର ଅସଫଳ ହେଲେ ତଥାପି ଜୋଶ କମିନଥିଲା । ପଞ୍ଚମ ଥର ୟୁପିଏସି ପରୀକ୍ଷା ଦେଇ ଆଇପିଏସ ହେଲେ ମୋହିତା ।

101

କନକ ବ୍ୟୁରୋ : ଲେଡି ଆଇପିଏସ ଅଫିସର ମୋହିତା ଶର୍ମା । ଯିଏ ଏବେ ଜମ୍ମୁ-କାଶ୍ମୀର ଭଳି ଏକ ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ଆତଙ୍କବାଦୀଙ୍କ ସହ ସାହସିକତାର ଲଢୁଥିବା ଏହି ଦବଙ୍ଗ ଆଇପିଏସ ଅଫିସର ଗତବର୍ଷ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ଲୋକପ୍ରିୟ କ୍ୱିଜ ଭିତ୍ତିକ ସୋ’ କୌନ ବନେଗା କୋରଡପତିରେ କୋଟିଏ ଟଙ୍କା ଜିତିଥିଲେ । ସେତେବେଳେ ମୋହିତାଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଆଇପିଏସ ମୋହିତାଙ୍କ ଏହି ସଫଳତା ପଛରେ ଏକ ସଂଘର୍ଷମୟ କାହାଣୀ ଲୁଚି ରହିଛି । ଆଉ ଏହି ସଂଘର୍ଷ ହିଁ ମୋହିତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାକୁ ପ୍ରେରଣା ଦେଇଥିଲା ।

ହିମାଚଳ ପ୍ରଦେଶର କଙ୍ଗଡାରେ ଜନ୍ମଗ୍ରହଣ କରିଥିବା ମୋହିତା ୨୦୧୭ ବ୍ୟାଚର ଆଇପିଏସ ଅଫିସର । ତେବେ ମୋହିତାଙ୍କୁ ମିଳିଥିବା ଏହି ସଫଳତା ଏତେ ସହଜ ନଥିଲା । ୟୁପିଏସସି ପରୀକ୍ଷାରେ ପାସ୍ କରିବାକୁ ମୋହିତାଙ୍କୁ ଦିନ ରାତି ଏକ କରିବାକୁ ପଡିଥିଲା । କାରଣ ମୋହିତା ଜାଣିଥିଲେ ୟୁପିଏସସି ପରୀକ୍ଷାରେ ପାସ୍ ନ କଲେ ଜୀବନସାରା ତାଙ୍କୁ ଏମିତି ସଂଘର୍ଷ କରିବାକୁ ପଡିବ । କାରଣ ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିଲା ଓ ବାପାଙ୍କର ବି ସେଭଳି ରୋଜଗାର ନଥିଲା । ତାଙ୍କ ବାପା ଗାଡି କମ୍ପାନିରେ କାମ କରୁଥିଲେ, ଆଉ ମାଆ ଗୃହଣୀ ଥିଲେ । କମ୍ପାନିରେ ଖଟିଲେ ପରିବାର ପେଟକୁ ଦାନା ଯାଉଥିଲା । ଏହାସତ୍ତେ୍ୱ ମଧ୍ୟ ମୋହିତାଙ୍କ ପାଠପଢାରେ ଟଙ୍କା ଖର୍ଚ୍ଚ କରିବାକୁ ଆଦୌ ପଛଘୁଞ୍ଚା ଦେଇନଥିଲେ ବାପା । ଝିଅ ବଡ ମଣିଷ ହେଉ କିଛି ଏଭଳି ଆଶା ଦେଖିଥିଲେ ବାପା । ଆଉ ବାପାଙ୍କ ଏହି ଇଚ୍ଛାକୁ ପୂରଣ କରିବାକୁ ଯେପରି ପଣ କରି ନେଇଥିଲେ ମୋହିତା ।

ହିମାଚଳର ଝିଅ ମୋହିତା ପିଲାଟିବେଳୁ ପରିବାର ସହ ଦିଲ୍ଲୀ ଚାଲି ଆସିଥିଲେ । ଦ୍ୱାରକାରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଇଞ୍ଜିନିୟରିଂ ପାଠ ପଢିଥିଲେ ମୋହିତା । ବିଟେକ ପାଠ୍ୟକ୍ରମ ଶେଷ ହେବା ପରେ ୨୦୧୨ରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ମୋହିତା । କିନ୍ତୁ ଏହି କଷ୍ଟକର ପରୀକ୍ଷାରେ ତାଙ୍କୁ ଗାଇଡ କରିବାକୁ ସେମିତି କେହି ବି ନଥିଲେ । ଯେଉଁଥିପାଇଁ ଲଗାତାର ୪ଥର ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ ମୋହିତା । କିନ୍ତୁ ଏହି ଫଳାଫଳ ତାଙ୍କ ମନୋବଳ ଭାଙ୍ଗିପାରିନଥିଲା । କାରଣ ମନରେ ଗୋଟିଏ ଜିଦ୍ ଥିଲା ୟୁପିଏସସି ପରୀକ୍ଷାରେ ପାସ୍ କରିବା । ଯେଉଁଥିପାଇଁ କଠିନ ପରିଶ୍ରମ ସହ ଇଣ୍ଟରନେଟ ଓ ମୋବାଇଲକୁ ସାଥୀ କରିଥିଲେ ମୋହିତା । ଇଣ୍ଟରନେଟରୁ ମିଳୁଥିବା ବିଭିନ୍ନ ଖବର ଓ ତଥ୍ୟ ମୋହିତାଙ୍କ ୟୁପିଏସସି ପରୀକ୍ଷାରେ ପାସ୍ ପାଇଁ ଯଥେଷ୍ଟ ଥିଲା । ପଞ୍ଚମ ପ୍ରୟାସରେ ଦୃଢମନା ମୋହିତା ୟୁପିଏସସି ପରୀକ୍ଷାରେ ୨୬୨ ରାଙ୍କ ରଖି ପାସ୍ କରିଥିଲେ ଓ ଏହାସହ ଖାକି ବର୍ଦ୍ଦିରେ ଝିଅକୁ ଦେଖି ପୂରା ହୋଇଥିଲା ବାପାଙ୍କ ଇଚ୍ଛା ।

ଜମ୍ମୁ-କାଶ୍ମୀରରେ କାର୍ଯ୍ୟରତ ଥିବା ମୋହିତାଙ୍କୁ ଗତବର୍ଷ କେବିସି ସୋ’ରେ ଦେଖିବାକୁ ମିଳିଥିଲା । ଏହି ସୋ’ରେ ୭ କୋଟି ଟଙ୍କା ଜିତିବା ପାଇଁ ମୋହିତାଙ୍କ ପାଖରେ ସୁଯୋଗ ରହିଥିଲା । କିନ୍ତୁ ସଠିକ୍ ଉତ୍ତରକୁ ନେଇ ଦ୍ୱନ୍ଦ୍ୱରେ ଥିବାରୁ ଖେଳ ମଝିରୁ କ୍ୱିଟ୍ କରିଥିଲେ ମୋହିତା ଏବଂ ୧ କୋଟି ଟଙ୍କା ଜିତିବାରେ ସଫଳ ହୋଇଥିଲେ ।