କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଫୋନରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗରେ ରାଉରକେଲା ଅଫିସରେ ଜଣେ ଯୁବତୀ ଭଙ୍ଗାରୁଜା କରିଛନ୍ତି । ଅଭିଯୋଗ ଅନୁସାରେ, ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥିନୀଙ୍କ ପାଇଁ ସହାୟତା ଲୋଡିବାକୁ ଯାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଠାରୁ ଅଶାଳୀନ ବ୍ୟବହାରର ଶିକାର ହୋଇଛନ୍ତି ସେହି ଜୁଏଲଙ୍କ ଜିଲ୍ଲା ଶ୍ରମ ପ୍ରତିନିଧି ଗୌରୀ ମୁଣ୍ଡାରୀ । ଜୁଏଲ ଫୋନ୍‌ରେ ତାଙ୍କ ବ୍ୟକ୍ତିଗତ ଚରିତ୍ରକୁ ନେଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି ।‌

Advertisment

ପ୍ରତିବାଦରେ ଗୌରୀ ଗତକାଲି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ରାଉରକେଲା ସେକ୍ଟର-୩ସ୍ଥିତ ପାର୍ଟି ଅଫିସ୍‌ରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି। ଜୁଏଲ ତାଙ୍କୁ କ୍ଷମା ନ ମାଗିଲେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।‌ ସେପଟେ ଅଫିସ୍‌ ଭଙ୍ଗା କରିଥିବାରୁ ପାର୍ଟି ଅଫିସ୍‌ରୁ ସେକ୍ଟର-୩ ଥାନାରେ ଗୌରୀ ନାଁରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି। ଗୌରୀ ପାର୍ଟି ଅଫିସରେ ଭଙ୍ଗାରୁଜା କରୁଥିବାର ଭିଡ଼ିଓ ତଥା ତାଙ୍କୁ ବୁଝାଇବାଲାଗି ଚେଷ୍ଟା କରୁଥିବା ଜୁଏଲ ଓ ଅନ୍ୟଜଣେ ପାର୍ଟି ମହିଳାକର୍ମୀଙ୍କ ସହିତ ତାଙ୍କ ଟେଲିଫୋନ୍‌ ବାର୍ତ୍ତାଳାପର ରେକର୍ଡ଼ ଭାଇରାଲ ହୋଇଛି। ପଞ୍ଚାୟତ ନିର୍ବାଚନ ସମୟରେ ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗୌରୀ ମୁଣ୍ଡାରୀ ଗତ ୨୦୧୮ରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କର ଜିଲ୍ଲା ଶ୍ରମ ପ୍ରତିନିଧିଭାବେ କାମ କରି ଆସୁଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନୂଆଗାଁ ବ୍ଲକର ଜାମସେରା ଓ ଲିମ୍‌ଡା ପଞ୍ଚାୟତରେ ସରପଞ୍ଚ ଭାବେ ଛିଡା ହୋଇଥିବା ଦୁଇ ଜଣ ମହିଳା ପ୍ରାର୍ଥୀଙ୍କ ପାଇଁ ଗୌରୀ ପ୍ରଚାର ମଙ୍ଗ ଧରିଛନ୍ତି। ଏଥିପାଇଁ କିଛି ସାହାଯ୍ୟ ମାଗିବାଲାଗି ଗୌରୀ ଗତକାଲି ଜୁଏଲଙ୍କୁ ସାକ୍ଷାତ କରିବାକୁ ସେକ୍ଟର-୩ ପାର୍ଟି ଅଫିସକୁ ଯାଇଥିଲେ ।

ମାତ୍ର ଜୁଏଲ ନିର୍ବାଚନୀ କାର୍ଯ୍ୟକ୍ରମରେ ବଣାଇଁ ଚାଲିଯାଇଥିବାରୁ ଦେଖା ହୋଇପାରି ନଥିଲା । ତେଣୁ ସେ ଜୁଏଲଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ଜୁଏଲ ତାଙ୍କୁ ଅଫିସ୍‌ ଗଲେ କଥା ହେବେ ବୋଲି କହିଥିଲେ ତେବେ ସେ ଅଫିସରେ ନଥିବାରୁ ଗୌରୀ ପୂର୍ବାହ୍ନ ୧୦ଟାରେ ପୁଣି ଥରେ ଜୁଏଲଙ୍କୁ ‌କଲ୍‌ କରିଥିଲେ । ଜୁଏଲ ଗୌରୀଙ୍କ କଥା ନଶୁଣି ତାଙ୍କ ବ୍ୟକ୍ତିଗତ ଚରିତ୍ରକୁ ନେଇ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ସେହି ସମୟରେ ସେ ମଦ୍ୟପାନ କରିଥିବା ଚର୍ଚ୍ଚା ହେଉଛି ।