ଅର୍ଚ୍ଚନାଙ୍କ ଅନୁଗୁଳ ଲିଙ୍କ୍ : ନିଜେ ଗାଡି କିଣିଥିଲେ ନା ମିଳିଥିଲା ଉପହାର ? ଗାଡି ଦେଇଥିବା ବ୍ୟକ୍ତି ନେତା ନା ବ୍ୟବସାୟୀ ?

ଅର୍ଚ୍ଚନାଙ୍କ ଅନୁଗୁଳ ଲିଙ୍କ୍ : ନିଜେ ଗାଡି କିଣିଥିଲେ ନା ମିଳିଥିଲା ଉପହାର ? ଗାଡି ଦେଇଥିବା ବ୍ୟକ୍ତି ନେତା ନା ବ୍ୟବସାୟୀ ?

କନକ ବ୍ୟୁରୋ : ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ଅନୁଗୁଳ ଲିଙ୍କ ସାମ୍ନାକୁ ଆସିଛି । ଅର୍ଚ୍ଚନାଙ୍କ ଘର କଳାହାଣ୍ଡି ଓ ଶ୍ୱଶୁର ଘର ବାଲେଶ୍ୱରରେ । ହେଲେ ଅର୍ଚ୍ଚନା ଅନୁଗୁଳରୁ ଏକ ଗାଡି କିଣିଥିଲେ । ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ଅନୁଗୁଳରୁ କାହିଁକି କିଣିଥିଲେ ଗାଡି ? ଭୁବନେଶ୍ୱରରେ କ’ଣ ଏହି ଗାଡି ମିଳୁନଥିଲା କି ? ଅର୍ଚ୍ଚନା ଗାଡି ନିଜ ଟଙ୍କାରେ କିଣିଥିଲେ ତ ? ନା ତାଙ୍କୁ କେହି ଗାଡି ଉପହାର ଦେଇଥିଲେ ? ଯଦି ଉପହାର ମିଳିଥିଲା, ତେବେ ଦେଇଥିଲା କିଏ ? ଗାଡି ଦେଇଥିବା ବ୍ୟକ୍ତି ନେତା ନା ବ୍ୟବସାୟୀ ? ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

କୁହାଯାଉଛି ଗାଡିଟି ଆରମ୍ଭରୁ ଅର୍ଚ୍ଚନା କିଣିନଥିଲେ । ଏକ ବିଲଡର୍ସ କମ୍ପାନୀର ଜଣେ ନିର୍ଦ୍ଦେଶକ ଏହି ଗାଡିଟିକୁ ୨୦୧୭ ମସିହ ଏପ୍ରିଲ ୧୮ ତାରିଖରେ କିଣିଥିଲେ । ହେଲେ ଗାଡିଟିକୁ ୨୦୧୯ ଜୁଲାଇରେ ବିକ୍ରି କରାଯାଇଥିଲା । ଆଉ ଏହାକୁ କିଣିଥିଲେ ଅର୍ଚ୍ଚନା ନାଗ । ଗାଡିକୁ ପାଖାପାଖି ୨ ବର୍ଷ ବ୍ୟବହାର କରିବା ପରେ ୨୦୨୧ ଏପ୍ରିଲରେ ବିକ୍ରି କରିଦେଇଥିଲେ । ପୁରୀର ଜଣେ ବ୍ୟବସାୟୀଙ୍କ ପାଖରେ ଏବେ ସେହି ଗାଡି ଥିବା ଜଣାପଡ଼ିଛି । ଗାଡିର ପ୍ରଥମ ମାଲିକ ଏକ ବିଲଡର୍ସ କମ୍ପାନୀର ନିର୍ଦ୍ଦେଶକ ହୋଇଥିବାରୁ ସେହି କମ୍ପାନୀରେ ଅନୁଗୁଳର କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି । ତେଣୁ ଅର୍ଚ୍ଚନାଙ୍କୁ ଏହି ଗାଡି ଉପହାରରେ ମିଳିଥିବା ଚର୍ଚ୍ଚା ହେଉଛି ।

ଏବେ ଝାଡପଡା ଜେଲର ମହିଳା ୱାର୍ଡରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଦିନେ ଯିଏ ଆଲିସାନ ବଙ୍ଗଳାରେ ରହି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ସିଏ ଏବେ ଜେଲର କାଳ କୋଠରୀରେ ରହୁଛନ୍ତି । ଜେଲ ଚଟାଣରେ କମ୍ବଳ ପାରି ତଳେ ଶୋଇ ଦିନ କାଟୁଛନ୍ତି । ବ୍ରେକ ଫାଷ୍ଟ ପାଇଁ ତାରକା ହୋଟେଲରକୁ ଯାଉଥିଲେ ଆଉ ଗୋଟିଏ ଅର୍ଡରରେ ଫାଇଭଷ୍ଟାରର ଲଂଚ ବକ୍ସ ଘରକୁ ଆସିଯାଉଥିଲା । ଏବେ ଜେଲରେ ସକାଳୁ ସକାଳୁ ସବୁ କଏଦୀଙ୍କ ପାଇଁ ଜେଲରେ ପ୍ରସ୍ତୁତ ହୋଇଥିବା ଉପମା ଓ ମଟର ତରକାରୀ ଖାଇଛନ୍ତି । ଆଉ ଲଂଚରେ ଭାତ, ଡାଲି ଓ ଘାଂଟ ଖାଇଛନ୍ତି । ଆଉ ଏହି ସବୁ ଖାଇବା ବେଳେ ସେ ସ୍ୱାଭାବିକ ଜଣାପଡୁଛନ୍ତି ।

ଏବେ ସବୁ ଘଟଣା ପରେ ବି ତାଙ୍କ ହାବଭାବ ଦେଖିଲେ ଜଣାପଡୁଛି ସେ ଯେମିତି କିଛି କରିନାହାନ୍ତି । ଏହାରି ଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଆଜି ଭୁବନେଶ୍ୱର କୋର୍ଟରେ ହେବ ଜାମିନ ଆବେଦନ । ଆସନ୍ତା ସୋମବାର ଜାମିନ ଆବେଦନର ଶୁଣାଣି ହୋଇପାରେ । ଅର୍ଚ୍ଚନାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଦେବାଶିଷ ମହାପାତ୍ର ଓ ସବ୍ୟସାଚ୍ଚୀ ସୂତାର ଏନେଇ ସୂଚନା ଦେଇଛନ୍ତି । ଅର୍ଚ୍ଚନାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କୋର୍ଟଙ୍କୁ ଅଣାଯାଇନପାରେ । ଝାରପଡ଼ା ଜେଲରୁ ହିଁ ଭିଡିଓ କନ୍ଫରେନ୍ସିଂ ଜରିଆରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥିତ ହେବେ । ଏହା ପରେ ଜାମିନ୍ ଆବେଦନକୁ ନେଇ ଶୁଣାଣି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe