କେମିତି ହେଲା ମହିଳା ଏଏସଆଇଙ୍କ ମୃତ୍ୟୁ ? ମୃତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଲୁଗୁନ

176

କନକ ବ୍ୟୁରୋ : ସନ୍ଦେହ ବଢାଉଛି ରାଉରକେଲା ଉଦିତନଗର ଥାନାର ମହିଳା ଏଏସଆଇ ଏ.ଏନ.ଲୁଗୁନଙ୍କ ମୃତ୍ୟୁ । କେମିତି ହେଲା ଲୁଗୁନଙ୍କ ମୃତ୍ୟୁ ? ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ସେପଟେ ହତ୍ୟା ଅଭିଯୋଗ ଆଣିଲେ ମୃତ ଏଏସ୍ଆଇ ଲୁଗୁନଙ୍କ ସ୍ୱାମୀ । ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଯିବନି ବୋଲି କହିଛନ୍ତି । ଏକ ଯାତ୍ରୀବାହୀ ବସ ଓ କାର ଦୁର୍ଘଟଣା ମାମଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଖବର ପାଇ ଏଏସଆଇ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ହେଲେ ତାଙ୍କର ମୃତ୍ୟୁକୁ ନେଇ ଏଯାଏଁ ମୁହଁ ଖୋଲୁନି ପୋଲିସ ।

ଏଏସଆଇଙ୍କ ସହ ପିସିଆର ଭ୍ୟାନରେ ଘଟଣାସ୍ଥଳକୁ ଯାଇଥିବା ହାବିଲଦାର ମଧ୍ୟ ଘଟଣାକୁ ନେଇ ମୁହଁ ଖୋଲୁ ନାହାନ୍ତି । ଆଲିସା ନରିନ ଲୁଗୁନ, ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ସୁସ୍ମିତା ମିଞ୍ଜଙ୍କ କିଛି ଦିନ ତଳେ ମୃତ୍ୟୁ ହୋଇଥିଲା । ସୁସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଥାନାରେ ଦେଇଥିବା ଏତଲାରେ ମଧ୍ୟ ଆଲିସା ନରିନ ଲୁଗୁନ ନାଁ ନେଇଥିଲେ । ସୁସ୍ମିତାଙ୍କ ମୃତ୍ୟୁ ପାଇଁ ଲୁଗୁନଙ୍କ ସହ ଅନ୍ୟ କିଛି ଜଣଙ୍କ ନାଁ ନେଇଥିଲେ ତାଙ୍କ ଭାଇ । ଏହି ମୃତ୍ୟୁ ଉପରୁ ପରଦା ହଟିନଥିବାବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।