କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସ ଅସ୍ଥିଶଲ୍ୟ ବିଭାଗର ବଡ଼ ସଫଳତା । ପଙ୍ଗୁ ପ୍ରାୟ ରୋଗୀଙ୍କର ଦୁଇ ଆଣ୍ଠୁ ଓ ଦୁଇ ହିପ୍ ବା ନିତମ୍ବ ଗଣ୍ଠିର ସଫଳ ମିଳିତ ପ୍ରତିରୋପଣ କରାଯାଇଛି । ଏହି ବିରଳ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୩୭ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡିତ ହୋଇ ପଙ୍ଗୁ ପ୍ରାୟ ଅବସ୍ଥାରେ ରହୁଥିଲେ । ସ୍ୱାଭାବିକ ଭାବରେ ଚାଲିବା ବଦଳରେ ସମ୍ପୃକ୍ତ ମହିଳା ଜଣକ ଗୁରୁଣ୍ଡିବା ସ୍ଥିତିକୁ ଚାଲିଆସିଥିଲେ । ଭୀଷଣ ଯନ୍ତ୍ରଣା ଅନୁଭବ କରିବା ସହ ବିନା କୌଣସି ଉପକରଣ ସାହାଯ୍ୟରେ ଛିଡା ମଧ୍ୟ ହୋଇପାରୁନଥିଲେ । ଏମ୍ସରେ ପରୀକ୍ଷାନୀରିକ୍ଷା ପରେ ଦୁଇ ଆଣ୍ଠୁ ଓ ଦୁଇ ହିପର ପ୍ରତିରୋପଣ ଏକାଠି କରାଯିବାର ଆବଶ୍ୟକ ଥିବା ଡାକ୍ତରୀ ଦଳ ଅନୁଭବ କରିଥିଲେ ।
ଏମ୍ସ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୁଜିତ କୁମାର ତ୍ରିପାଠୀ ଏବଂ ଡାକ୍ତର ମଂଟୁ ଜୈନଙ୍କ ନେତୃତ୍ୱରେ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣ କରିଛନ୍ତି । ଅତ୍ୟନ୍ତ ସତର୍କତାର ସହ ପ୍ରଥମେ ଡାକ୍ତରୀ ଦଳ ଦୁଇ ନିତମ୍ବ ଗଣ୍ଠିର ପ୍ରତିରୋପଣ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଛନ୍ତି । ପରେ ଯନ୍ତ୍ରଣା କମିବା ସହ ତୃତୀୟ ଦିନରେ ମହିଳା ଜଣକ ଚାଲିବା ଆରମ୍ଭ କରିଥିଲେ ।