ବଢ଼ିବାରେ ଲାଗିଛି ସୀମା ଉତ୍ତେଜନା । ଲୁହା ଛଡ଼ ଏବଂ ପଥରରେ ଚୀନ ସେନାର ଆକ୍ରମଣ । ୫ ଚୀନ ସୈନିକ ମୃତ , ୨ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ।

1,374

କନକ ବ୍ୟୁରୋ : ବଢ଼ିବାରେ ଲାଗିଛି ଭାରତ-ଚୀନ ସୀମା ଉତ୍ତେଜନା । ଲୁହା ଛଡ଼ ଏବଂ ପଥରରେ ଚୀନ ସେନାର ଆକ୍ରମଣ । ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଚୀନ ପକ୍ଷର ୫ ସୈନିକ ମୃତ୍ୟୁବରଣ କରିଥିବା ଚୀନ ଗଣମାଧ୍ୟମ ପ୍ରକାଶ କରିଛି । ଚୀନ ପକ୍ଷର କେତେକ ସୈନ୍ୟ ମୃତ୍ୟୁବରଣ କରିଥିବା ଭାରତୀୟ ସେନା ମଧ୍ୟ ନିଜ ବୟାନରେ ସ୍ପଷ୍ଟ କରିଛି ।

ସେହିପରି ବ୍ରିଟିଶ ଖବରକାଗଜ ‘ଦି ଏକ୍ସପ୍ରେସ’ ଅନୁସାରେ ଭାରତୀୟ ସେନାର ଆକ୍ରମଣରେ ୫ ଚୀନ ସୈନ୍ୟ ମୃତ୍ୟୁବରଣ କରିଥିବାବେଳେ ଓ ୧୧ ସୈନିକ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ସେନା ଚୀନ ସୀମା ମଧ୍ୟକୁ ଅନୁପ୍ରବେଶ କରି ହିଂସାକାଣ୍ଡ ଘଟାଇଥିବା ଚୀନ ବୈଦେଶିକ ମନ୍ତ୍ରାଳୟ ଅଭିଯୋଗ କରିଛି । ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ଏ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ବୟାନ ଆସିନାହିଁ ।

ମିଳିଥିବା ସୂଚନା ମୁତାବକ ଦୁଇଦେଶର ସେନା କମାଣ୍ଡର ସ୍ତରରେ ଆଜି ସକାଳୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ସୀମାରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ଏହି ଆଲୋଚନା ମାଧ୍ୟମରେ ଉଦ୍ୟମ କରୁଛନ୍ତି । ଚୀନ ପକ୍ଷରୁ ଏହି ବୈଠକ ପାଇଁ ଭାରତକୁ ଅନୁରୋଧ କରାଯାଇଥିଲା । ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦିଆଯାଇଛି । ମୋଦୀ ଖୁବ ଶୀଘ୍ର ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟି ବୈଠକ ଡାକିବାର ସମ୍ଭାବନା ରହିଛି ।