ଟିକା ଅଭାବ ଭିତରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଦିଲ୍ଲୀ, ମହାରାଷ୍ଟ୍ର ସମେତ ଦେଶର ୮ଟି ରାଜ୍ୟରେ ସାଙ୍କେତିକ ଭାବେ ସାବଳକଙ୍କୁ ଦିଆଗଲା କରୋନା ଟିକା । 

122

କନକ ବ୍ୟୁରୋ: ସାରାଦେଶରେ ତୃତୀୟ ପର୍ଯ୍ୟାୟ ମେଗା କରୋନା ଟିକାକରଣ ବାଧାପ୍ରାପ୍ତ ହୋଇଛି । ଟିକା ଅଭାବରୁ ଦେଶର ୮ଟି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ କରାଯାଇଛି । ମହାରାଷ୍ଟ୍ର, ରାଜସ୍ଥାନ, ଉତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁରେ ଟିକାକରଣ ଆରମ୍ଭ ହୋଇଛି । ଟିକା ଆସିବା ମଧ୍ୟପ୍ରଦେଶରେ ମଧ୍ୟ ଟିକାକରଣ କରାଯାଇଛି ।

ଦେଶର ରାଜଧାନୀ ଦିଲ୍ଲୀର ଦୁଇଟି ହସ୍ପିଟାଲ ଓ ଗୋଟିଏ ଟିକାକରଣ କେନ୍ଦ୍ରରେ ୧୮ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି । କମ ଟିକା ଆସିଥିବାରୁ ସାଂକେତିକ ଭାବେ ଟିକାକରଣ କରାଯାଇଛି । ଆସନ୍ତା ସୋମବାରରୁ ଟିକାକରଣକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ସେପଟେ ଉତରପ୍ରଦେଶର ୭୫ ଜିଲ୍ଲା ମଧ୍ୟରୁ କେବଳ ୫ଟି ଜିଲ୍ଲାରେ କୋଭିଡ ଟିକାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିକାକରଣର ଶୁଭାରମ୍ଭ କରିଥିଲେ ।

ସେପଟେ ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରର ପୁଣେ, ମୁମ୍ବାଇ ଓ ଥାଣେରେ ସାବାଳକଙ୍କୁ ଟିକାକରଣ କରାଯାଇଛି । ଶୁକ୍ରବାର ମହାରାଷ୍ଟ୍ରକୁ ୩ ଲକ୍ଷ କୋଭିସିଲ୍ଡ ଟିକା ଆସିବା ପରେ ତୃତୀୟ ପର୍ଯ୍ୟାୟ ଟିକା ଆରମ୍ଭ ହୋଇଛି ।

ନାଗପୁରରେ ସାବାଳକଙ୍କୁ ଟିକା ଦେବା ପାଇଁ ବରିଷ୍ଠ ନାଗରିକଙ୍କ ଟିକାକରଣକୁ ଶନିବାର ବାତିଲ କରାଯାଇଥିବା ଖବର ଆସିଛି । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ ବୟସ୍କ ଲୋକଙ୍କୁ ଟିକାକରଣ କେନ୍ଦ୍ରରୁ ଫେରାଇ ଦିଆଯାଇଛି ।

ସେପଟେ ରାଜସ୍ଥାନରେ ମଧ୍ୟ ଟିକା ଅଭାବରୁ ୩୩ ଜିଲ୍ଲାରୁ ମାତ୍ର ୩ଟି ଜିଲ୍ଲାରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ରାଜସ୍ଥାନରେ ଆଜମେର, ଜୋଧପୁର ଓ ଜୟପୁରରେ ସାବାଳକଙ୍କୁ କରୋନା ଟିକା ଦିଆଯାଇଛି ।

ସେପଟେ ତାମିଲନାଡୁର ଚେନ୍ନାଇରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ଟିକାକରଣ କରାଯାଇଛି । ଗୁଜରାଟର ୩୩ ଜିଲ୍ଲାରୁ କେବଳ ୧୦ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଟିକାକରଣ କରାଯାଇଛି । ମଧପ୍ରଦେଶରେ ଭୋପାଳରେ କୋଭିଡ ଟିକା ଦିଆଯାଇଛି ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଟିକାକରଣର ଶୁଭାରମ୍ଭ କରିଛନ୍ତି । ଛତିଶଗଡରେ ଅନ୍ତୋଦୟ କାର୍ଡଧାରୀଙ୍କୁ କୋଭିଡ ଟିକା ମିଳିଥିବା ବେଳେ ଓଡିଶାରେ ତୃତୀୟ ପର୍ଯ୍ୟାୟର ଡ୍ରାଏରନ କରାଯାଇଛି ।