କନକ ବ୍ୟୁରୋ: ଭରା ନଈକୁ ସାହାରା ସାମାନ୍ୟ ଏକ ଦଉଡ଼ି। ସ୍ୱାଧୀନତାର ୭୫ ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ। ନଈ ପାରି ହେବାକୁ ଦଉଡ଼ି ସାହାରା ନେବାକୁ ବାଧ୍ୟ ହେଉଛନ୍ତି। ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ଭରାନଈ ପାର ହେଉଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ତଳକାଦକଳା ପଞ୍ଚାୟତ ହଲଡିହି ସାହିରେ।
ଯାତାୟାତ ପାଇଁ ପୋଲଟିଏ ନଥିବାରୁ ଲୋକେ ଦଉଡ଼ି ସାହାଯ୍ୟରେ ନଦୀ ପାର ହେଉଛନ୍ତି। ଏପରିକି ଭତ୍ତା, ରାସନ୍ ଓ ଅନ୍ୟାନ୍ୟ କାର୍ୟ୍ୟ ପାଇଁ ପଞ୍ଚାୟତ କାର୍ୟ୍ୟାଳୟକୁ ଲୋକେ ନଦୀ ପାର ହୋଇ ଯାଉଛନ୍ତି। ରାଜ୍ୟ ରାଜକୋଷକୁ ସମୃଦ୍ଧ କରୁଥିବା କେନ୍ଦୁଝର ଜିଲ୍ଲାର ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।

Advertisment

ତଳକାଦକଳା ପଞ୍ଚାୟତଠାରୁ ୩ କିମି ଦୂରରେ ଅବସ୍ଥିତ ହଲଡିହି ସାହି। ଏହି ଗାଁରେ ମୁଣ୍ଡା ଓ ଧୀବର ସମ୍ପ୍ରଦାୟର ୩୫ଟି ପରିବାର ବାସ କରୁଛନ୍ତି। ପାନୀୟଜଳଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଏହି ଗାଁ ବହୁ ପଛରେ। ଗାଁରେ ନଳକୂଅଟିଏ ନଥିବାରୁ ନଦୀରେ ଚୁଆ ଖୋଳି ଲୋକେ ପାଣି ସଂଗ୍ରହ କରୁଛନ୍ତି। ଗାଁକୁ ରାସ୍ତା ନଥିବାରୁ କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଆସିପାରେ ନାହିଁ। ଲୋକେ ରୋଗୀକୁ ଖଟିଆରେ ବୋହି ନଦୀ ପାର କରିବା ପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥାନ୍ତି। ଗାଁରେ ସ୍କୁଲ ନାହିଁ। ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରୁ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହୋଇଥିଲେ ବି ନଦୀରେ ପୋଲ ନଥିବାରୁ ସେଠାରେ ରାସ୍ତା ସରିଯାଇଛି। ୩ କିମି ଦୂରରେ ଥିବା କାଦକଳା ଉଚ୍ଚବିଦ୍ୟାଳୟକୁ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଭାବେ ଉଛୁଳା ମଲଦା ନଦୀକୁ ଦଉଡ଼ି ସାହାଯ୍ୟରେ ପାର ହୋଇ ପାଠ ପଢ଼ିବାକୁ ଯାଉଛନ୍ତି। ଏହି ଘଟଣା ଅଞ୍ଚଳବାସୀଙ୍କ ପାଇଁ ନୂଆ ନୁହେଁ। ମଲଦା ନଦୀରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପଟେ ଖଣି ଅଞ୍ଚଳର ଆଉ ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । କୋଇଡା ବ୍ଲକରେ ସ୍କୁଲ ରୁପାନ୍ତରିକରଣ ନାମରେ ଜିଲ୍ଲା ଖଣିଜ ପାଣ୍ଠିର ଅପବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଅସରାଏ ବର୍ଷା ହେଲେ ସ୍କୁଲ ଭିତରେ ପାଣି ପଶୁଛି । ଏ ଚିତ୍ର ହେଉଛି କୋଇଡା ବ୍ଲକ୍ କାଲଟା ପଞ୍ଚାୟର ତୋଡା ସେବାଶ୍ରମ ସ୍କୁଲର। ନୁତନ ଭାବେ ସେବାଶ୍ରମ ବିଦ୍ୟାଳୟର ରୁପାନ୍ତରୀକରଣ କାମ ଆଇଟିଡିଏ ଦ୍ୱାରା ହୋଇଛି। ଠିକାସଂସ୍ଥା କି ବିଭାଗୀୟ ଫଳକ କିଛି ନାହିଁ । କେବଳ ଧଳା ରଙ୍ଗ ମାରି କାମ ସାରିଦେଇଛନ୍ତି । ସେବାଶ୍ରମର ଚାରିପଟେ ବଡ ବଡ ପାଚେରୀ କରାଯାଇଛି। ହେଲେ ଦୁଇ ଦିନ ବର୍ଷାରେ ଏଭଳି ସମସ୍ୟା ସୃଷ୍ଟି ହେଉଛି। ବିଦ୍ୟାଳୟ ପରିସରରେ ପାଣି ଜମିବା ସହ ଶ୍ରେଣୀ ଗୃହ, କାର୍ୟ୍ୟାଳୟ, ଷ୍ଟୋର୍ ରୁମରେ ଛାତରୁ ପାଣି ଗଳୁଛି। ଶ୍ରେଣୀ ଗୃହରେ ଜମିଥିବା ପାଣି ଉପରେ ଡେସ୍କ ପଡ଼ିଛି । ପିଲାମାନେ ତା ଉପରେ ବସି ପାଠପଢ଼ୁଛନ୍ତି । ଅନ୍ୟପଟେ ଏନେଇ କୋଇଡା ଅତିରିକ୍ତ ଜିଲ୍ଲା ସମ୍ପ୍ରସାରଣ ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣା ବିଷୟରେ ଅବଗତ ନଥିବା କହିଛନ୍ତି।