କୋଭିଡ୍ ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲର ଅଭାବ ଯୋଗୁଁ ବିଶ୍ବ ସମୁଦାୟର ଚାହିଦା ମୁତାବକ ଟିକାପ୍ରସ୍ତୁତି ହୋଇପାରୁନାହିଁ ବୋଲି ବିଶ୍ବର ସର୍ବାଧିକ ଟିକା ପ୍ରସ୍ତୁତକର୍ତ୍ତା ସିରମ୍ ଇନ୍ଷ୍ଟିଚ୍ୟୁଟ୍ର ସିଇଓ ଆଦର ପୁନାଵାଲା ସତର୍କ କରାଇ ଦେଇଛନ୍ତି । ତେବେ ଏହା ପଛରେ ଆମେରିକା ବାଇଡେନ୍ ପ୍ରଶାସନର ଫାଇଜର କମ୍ପାନି ପ୍ରୀତିକୁ ସେ ଦାୟୀ କରିଛନ୍ତି।
ଆଷ୍ଟ୍ରାଜେନେକା ଓ ନୋଭାଭାକ୍ସ କମ୍ପାନି ପକ୍ଷରୁ କୋଟି କୋଟି ସଂଖ୍ୟାରେ କୋଭିଡ୍ ଟିକାର ମାତ୍ରା ପ୍ରସ୍ତୁତ କରିବାର ଲାଇସେନ୍ସ ପାଇଥିବା ପୁନାଵାଲା ଗୁରୁବାର ବିଶ୍ବ ବ୍ୟାଙ୍କର ଏକ ପ୍ରତିନିଧିମଣ୍ଡଳକୁ ଜଣାଇଛନ୍ତି ଯେ ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ ପଡୁଥିବା କିଛି ଜରୁରୀ ସାମଗ୍ରୀର ଆମଦାନି ବାଟରେ ଆମେରିକାର ଆଇନ ପ୍ରତିବନ୍ଧକ ସାଜିଛି । ଆମେରିକୀୟ କମ୍ପାନି ଫାଇଜର ଦ୍ବାରା ବିକଶିତ କୋଭିଡ୍ ଟିକାର ଯୁଦ୍ଧକାଳୀନ ପ୍ରସ୍ତୁତିକୁ ସୁଗମ କରିବା ପାଇଁ ବାଇଡେନ୍ ପ୍ରଶାସନ ଦେଶରେ ଡିଫେନ୍ସ ପ୍ରଡକ୍ସନ ଆଇନ ଲାଗୁ କରିଛନ୍ତି । ଆମେରିକା ସରକାର ଉକ୍ତ କମ୍ପାନି ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ନିମନ୍ତେ ଦେଶରୁ ଟିକା ବୋତଲ, ଠିପି ଆଦି ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ତେଣୁ ଏ ସମ୍ପର୍କରେ ବାଇଡେନ୍ ପ୍ରଶାସନ ସହ କଥାବାର୍ତ୍ତା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ବିଶ୍ବରୁ ମହାମାରୀ କୋଭିଡ୍ ହଟାଇବା ପାଇଁ ଯେତେ ସଂଖ୍ୟକ ଟିକା ଆବଶ୍ୟକ ତାହା ଯୋଗାଇଦେବାକୁ ଆମେ ପ୍ରସ୍ତୁତ ଥିଲା ବେଳେ କଞ୍ଚାମାଲ ନମିଳିଲେ ତାହା କିପରି ସମ୍ଭବ ହେବ ବୋଲି ପୁନାଵାଲା ପ୍ରଶ୍ନ କରିଛନ୍ତି।