କନକ ବ୍ୟୁରୋ: ବହୁତ ହୋଇଗଲା ମରି ମରି ବଞ୍ଚିବା, ବହୁତ ହୋଇଗଲା କଷ୍ଟ ଯନ୍ତ୍ରଣାରେ ଜୀବନ ଜିଇଁବା । ଆଉ ଇଚ୍ଛା ନାହିଁ, ଗୋଟେ ମୁହୂର୍ତ୍ତ ବି ବଞ୍ଚିବାକୁ । ଯେଉଁଠି ହକ୍ ପାଇଁ ଲଢି ଲଢି ମଣିଷଟିଏ ହାରିଯାଉଛି । ନ୍ୟାୟ ମାଗିମାଗି ଥକି ପଡୁଛି । ସରକାରୀ ଦପ୍ତରକୁ ଦୌଡି ଦୌଡି, ପ୍ରଶାସନ ପାଖକୁ ଧାଇଁଧାଇଁ ପ୍ରାଣ ବାହାରିଯାଉଛି । ଏତେସବୁ ପରେ ବି ପ୍ରଶାସନ ଶୁଣୁନି କି ହକ୍ ଫେରାଇ ଦେଉନି । କ୍ଷମତାଶାଳୀ ଲୋକଙ୍କ ସହ ଆଉ କେତେ ଲଢିବି । ଆଉ ପାରୁନି ମହାମହିମ । ଆଉ ବଞ୍ଚିବାକୁ ଇଚ୍ଛା । ନ୍ୟାୟ ତ ମିଳୁନି ଏ ନିଶ୍ୱାସ ରହି ଲାଭ କଣ ? ମୁଁ ଇଚ୍ଛାମୃତ୍ୟୁ ଚାହୁଁଛି ? ମୁଁ ଜୀବନ ହାରିବାକୁ ଚାହୁଁଛି...
ରାଷ୍ଟ୍ରପତିଙ୍କୁ ଲେଖିଥିବା ଏ ଇଚ୍ଛାମୃତ୍ୟୁ ପତ୍ରରେ ନିଜ ଯନ୍ତ୍ରଣା, ନିଜ କଷ୍ଟ ଏବଂ ନିଜ ପରିବାର ସହ ହେଉଥିହା ଅନ୍ୟାୟକୁ ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି ବଲାଙ୍ଗିର କଣ୍ଟାବାଞ୍ଜି ସହରର ଯୁବକ ଅମିତ ଜୈନ । ଅମିତଙ୍କ ବୟସ ୩୫ ବର୍ଷ । ଭଲ ପଢାପଢି ବି କରୁଥିଲେ । ବାପା, ଭାଇ, ମାଆଙ୍କୁ ନେଇ ସେମାନଙ୍କ ସଂସାର ଚାଲିଥିଲା । ସହରର ମୁଖ୍ୟ ରାସ୍ତାରେ ଏକ ଦୋକାନ କରି ବାପା ଘର ଚଳାଉଥିଲେ । ହେଲେ ୨୦୦୯ ମସିହାରେ ଏକ ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଲେ । ତା ସହ ଡାହାଣ ହାତ ମଧ୍ୟ ଅକାମି ହୋଇଗଲା । ବଡ ଭାଇଙ୍କୁ ବ୍ଲଡ କ୍ୟାନସର ହେବା ପରେ ବାପା ଦୁଇ ପିଲାଙ୍କ ଦାୟିତ୍ୱ ବୁଝିବା ସହ ଘର ଚଳାଉଥିଲେ । ହେଲେ ଭାଗ୍ୟର ବିଡମ୍ବନା ବାପା ୨୦୧୧ରେ ଆଖିବୁଜି ଦେଲେ । ବାସ୍ ସେହି ଦିନ ଠାରୁ ଆଜି ଯାଏଁ ସେମାନେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି ।
ବାପା ଗଲା ପରେ ପରେ ଦୀର୍ଘ ୩୦/୪୦ ବର୍ଷର ଦୋକାନ ଉପରେ ପଡିଥିଲା କିଛି ବିତ୍ତଶାଳୀ ଲୋକଙ୍କ ନଜର । ଦୋକାନ ଜାଗାକୁ ଅକ୍ତିଆର ପାଇଁ ମାଫିଆ ମାଡିବସିଥିଲେ । ଯେଉଁ ଦୋକାନରୁ ବଡ ଭାଇ ରୋଜଗାର କରି ପରିବାର ପୋଷୁଥିଲେ ସେଠି ଆଉ ଦୋକାନ ଖୋଲିବା ସମ୍ଭବ ହେଲାନି । ବାଧ୍ୟ ହୋଇ ଅନ୍ୟତ୍ର ଦୋକାନ କରି ଘର ଚଳାଉଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ଜାଗାରେ ଘର ନିର୍ମାଣ ପାଇଁ ବି ଦେଉନାହାନ୍ତି ମୁଷ୍ଟିମେୟ ଲୋକେ । ବାଧ୍ୟ ହୋଇ ସେମାନେ ଏହି ଭଡାଘରେ କଷ୍ଟରେ ଚଳୁଛନ୍ତି ।
ବାପାଙ୍କ ମୃତ୍ୟୁ ପରେ ଦୀର୍ଘ ୧୧ ବର୍ଷ ହେବ ଉକ୍ତ ଜାଗାକୁ ନେଇ ବିବାଦ ସମାଧାନ ହେଉନଥିବା ବେଳେ ଅଭିଯୋଗ ନେଇ ଅମିତ ପୋଲିସ, ପ୍ରଶାସନର ଦ୍ୱାରସ୍ତ ହେଉଥିଲେ ବି କେହି ଶୁଣୁନାହାନ୍ତି । ଦବଦବା ଥିବା ଲୋକଙ୍କ ଭୟରେ କିଛି କାର୍ଯ୍ୟନୁଷ୍ଠାନ ହେଉନଥିବା କିମ୍ବା ଅଭିଯୋଗ ଆଗଉନଥିବା ଅମିତ କହିଛନ୍ତି । ତେଣୁ ସବୁଆଡୁ ନିରାଶ ହେଲା ପରେ, ସରକାର, ପୋଲିସ, ପ୍ରଶାସନ ପାଖରୁ ଆଶା ହରାଇବା ପରେ ଶେଷରେ ଇଚ୍ଛା ମୃତ୍ୟୁର ବାଟ ବାଛିଛନ୍ତି ଦିବ୍ୟାଙ୍ଗ ଅମିତ । ଆଉ ନ୍ୟାୟ ନମିଳିବାରୁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁର ପତ୍ର ପଠାଇଛନ୍ତି । କଣ୍ଟାବାଞ୍ଜିର ଅମିତଙ୍କ ପ୍ରତି ପ୍ରଶାସନର ଏ ଅବହେଳାର କାହାଣୀ ଶୁଣିବା ପରେ ମନରେ ପ୍ରଶ୍ନ ଆସୁଛି, କାହା ପାଇଁ ଏ ସରକାର ? କାହା ସୁରକ୍ଷା ପାଇଁ ଏ ପୋଲିସ? କାହାର ସେବା ପାଇଁ ଏ ପ୍ରଶାସନ? ଯେଉଁଠି ଜଣେ ଦିବ୍ୟାଙ୍ଗର ଅଭିଯୋଗ ଶୁଣାଯାଉନି, ଆଉ ନ୍ୟାୟ ନମିଳିବାରୁ ସେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଭିକ୍ଷା ମାଗୁଛି । ଖବର ଦେଖିବା ପରେ ପ୍ରଶାସନ ତତ୍ପରତା ଦେଖାଇବ ବୋଲି ଆଶା ।
Follow Us