ଭ୍ୟାକ୍ସିନ୍ ଅଭାବ ନେଇ ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ । କହିଲେ ଭ୍ୟାକ୍ସିନ ଅଭାବ ଏକ ଗମ୍ଭୀର ସମସ୍ୟା, ଉତ୍ସବ ନୁହେଁ

88

କନକ ବ୍ୟୁରୋ : କରୋନା ଭ୍ୟାକ୍ସିନ ଅଭାବ ପଡୁଥିବା ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ସେ ଏକ ଟ୍ୱିଟ୍ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି ଦେଶରେ ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା ଏକ ଗମ୍ଭୀର ସମସ୍ୟା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଟିକା ଉତ୍ସବ ପାଳନ କରିବାକୁ କହିବା ଏକ ହାସ୍ୟସ୍ପଦ କଥା । ତେଣୁ ପ୍ରଧାନମନ୍ତ୍ରୀ ବିନା ପାତର ଅନ୍ତରରେ ସବୁ ରାଜ୍ୟକୁ ଟିକା ଯୋଗାଣ କରନ୍ତୁ । ଆମ ସମସ୍ତଙ୍କୁ ମିଳିମିଶି ଏହି ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ପଡିବ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି ।

 

କହିରଖୁ କି, କିଛି ରାଜ୍ୟରେ ଟିକାର ଅଭାବ ଥିବା ଦର୍ଶାଇ ରାଜ୍ୟ ସରକାରମାନେ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ତାଙ୍କ ପକ୍ଷ ରଖିଥିଲେ । ହର୍ଷବର୍ଦ୍ଧନ କହିଛନ୍ତି କି ଏବେ ଦେଶରେ ୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆ ସରିଛି । ରାଜ୍ୟମାନଙ୍କ ପାଖରେ ୪.୩ କୋଟି ଟିକା ଏବେ ମହଜୁଦ ରହିଛି । ରାଜ୍ୟ ସରକାରମାନେ କେନ୍ଦ୍ର ସରକାରକୁ ବଦନାମ କରିବାକୁ ଟିକା ଅଭାବର ନାଟକ କରୁଛନ୍ତି । ହେଲେ ଏନେଇ ସ୍ୱାସ୍ଥ୍ର୍ୟ ବିଭାଗ ସଚେତନ ଥିବା କଥା ସ୍ୱାସ୍ଥ୍ର୍ୟମନ୍ତ୍ରୀ କହିଛନ୍ତି ।