ସୂର୍ଯ୍ୟମନ୍ଦିରରେ ଢିଲା ସୁରକ୍ଷା! ଅସନ୍ତୁଷ୍ଟ ପର୍ଯ୍ୟଟକ କହିଲେ, ମନ୍ଦିର ଚାରିପଟେ ନାହାନ୍ତି ସୁରକ୍ଷା କର୍ମୀ, ପ୍ରବେଶ ପଥରେ କାମ କରୁନି ମେଟାଲ ଡିଟେକ୍ଟର । କେନ୍ଦ୍ରକୁ ଦୋଷ ଦେଲା ରାଜ୍ୟ ।

287

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ଐତିହ୍ୟ କୋଣର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥା । ମନ୍ଦିର ଚାରିପଡେ ସୁରକ୍ଷା କର୍ମୀ ନଥିବା ବେଳେ ପ୍ରବେଶପଥରେ କାମ କରୁନି ମେଟାଲ ଡିଟେକ୍ଟର । ଅସୁରକ୍ଷିତ ସୂର୍ଯ୍ୟ ମନ୍ଦିର ଏଠି ଅସୁରକ୍ଷିତ ପର୍ଯ୍ୟଟକ । ଏଭଳି ଘଟଣା ପଦାକୁ ଆସିବା ପରେ ଉଦବେଗ ପ୍ରକାଶ କରିଛନ୍ତି ମନ୍ତ୍ରୀ ସମୀର ଦାସ ।

କୋଣାର୍କ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣକୁ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସାମ୍ନାକୁ ଆସିଛି ମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା । ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଦେଶର ବିଭିନ୍ନ ଐତିହ୍ୟ ସ୍ଥଳିରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଥିବା ବେଳେ କୋଣାର୍କରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବା ପାଇଁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ମନ୍ଦିର ଚାରିପଟେ ନାହାନ୍ତି ସୁରକ୍ଷାକର୍ମୀ । ମନ୍ଦିରର ପ୍ରବେଶ ପଥରେ ଯାଂଚ ପାଇଁ ଥିବା ମେଟାଲ ଡିଟେକ୍ଟର ବି କାମ କରୁନାହିଁ । ତେଣୁ ଯେକୌଣସି ବ୍ୟକ୍ତି ୪୦ ଟଙ୍କାର ଟିକଟ କାଟି ଯେ କୌଣସି ସାମଗ୍ରୀ ଧରି ଅବାଧରେ ମନ୍ଦିର ଭିତରକୁ ପ୍ରବେଶ କରିପାରୁଛନ୍ତି । ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବିଶ୍ୱ ଐତିହ୍ୟ କୋଣର୍କ କୋଣାର୍କର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଏବଂ ଏଏସଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ ସମୀର ଦାସ । କହିଛନ୍ତି କେନ୍ଦ୍ର ସରକାର ଏବଂ ଏଏସଆଇ କୋଣାର୍କ ପ୍ରତି ଅବହେଳା କରୁଥିବା ବେଳେ ତୁରନ୍ତ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ମନ୍ତ୍ରୀ ଦାବି କରିଛନ୍ତି ।