ପାଇପ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ ! ପଢ଼ନ୍ତୁ କେମିତି ଥିଲା ପୂରା ଅପରେସନ

23

କନକ ବ୍ୟୁରୋ : ଆଜି କଟକରେ ଏଭଳି ଘଟଣା ଘଟିଥିଲା ଯାହା ଉପରେ ସାରା ରାଜ୍ୟର ନଜର ଲାଖି ରହିଥିଲା । ପାଣି ପାଇପରେ କାମ କରୁଥିବା ବେଳେ ପାଇପ୍ ଭିତରେ ପଶିଯାଇଥିଲେ ଜଣେ ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲି । ତୁରନ୍ତ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ବି ପୁରା ଦମ ଲଗାଇ ଦେଇଥିଲା । ଆଉ ୭ ଘଂଟାର ଅପରେସନ ପରେ ସମସ୍ତଙ୍କ ମୁହଁରେ ହସ ଫୁଟିଥିଲା । କାରଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ପ୍ରାଣକୃଷ୍ଣ ।

ଜୀବନ-ମୃତ୍ୟୁର ଦୋଛକିରେ ଫସି ରହିଥିବା ବୃଦ୍ଧ ଶ୍ରମିକଙ୍କୁ ଯେତେବେଳେ ପାଇପ୍ ଭିତରରୁ ବାହାରକୁ ଅଣାଯାଉଥିଲା, ସେତେବେଳେ ଯେମିତି ନୂଆ ଜୀବନଟିଏ ପାଇଥିଲେ ପ୍ରାଣକୃଷ୍ଣ । ଆଶା ଓ ଆଶଙ୍କାର ୬ ଘଂଟା ଅପରେସନ୍ ଭିତରେ, ଶେଷରେ ପାଇପ୍ ଭିତରରୁ ଉଦ୍ଧାର ହୋଇଥିଲେ ଜୀବନ ବିକଳରେ ଛଟପଟ ହେଉଥିବା ପ୍ରାଣକୃଷ୍ଣ ।

ନାଳ ସଫା କରୁଥିବା ବେଳେ ହଠାତ୍ ପାଣି ଖୋଲି ଦିଆଯିବାରୁ ଜଳସ୍ରୋତରେ ପାଇପ୍ ଭିତରକୁ ଠେଲି ହୋଇଯାଇଥିଲେ ପ୍ରାଣକୃଷ୍ଣ । ଏତେ ଭିତରକୁ ଚାଲି ଯାଇଥିଲେ ଯେ, ନିଜ ଚେଷ୍ଟାରେ ବାହାରକୁ ଆସିବା ସମ୍ଭବ ନଥିଲା । ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ଅପରେସନ୍ । ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ଓଡ୍ରାଫ୍ ଏବଂ ଅଗ୍ନିଶମ କର୍ମଚାରୀ ।

ନିବୁଜ ପାଇପ୍ ଭିତରେ ଛଟପଟ ହେଉଥାନ୍ତି ପ୍ରାଣକୃଷ୍ଣ । ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଅକ୍ସିଜେନ୍ ଯୋଗାଇବା ସହ ତଂଟି ଶୁଖିଯିବା ଆଶଙ୍କା ଥିବାରୁ ପିଇବା ପାଇଁ ପାଣି ଦିଆଯାଉଥାଏ । ଉଦ୍ଧାର କାର୍ଯ୍ୟରେ ପ୍ରବଳ ଧୁଳି ଉଡୁଥିବାରୁ ପ୍ରାଣକୃଷ୍ଣଙ୍କୁ ଦିଆଯାଇଥାଏ ଏକ ଚଷମା । ହେଲେ ଜେସିବି ଲଗାଇ ସଂପୂର୍ଣ୍ଣ ଖୋଳି ବାହାର କରିବା ବି ସମ୍ଭବ ହେଉନଥାଏ । ଆଉ ଶେଷରେ କଟର୍ ସାହାର୍ଯ୍ୟ କଟାଯାଇ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରାଯାଇଥିଲା ।

ବୁଧବାର ହୋଇଥିବା ବର୍ଷା ଯୋଗୁଁ କଟକ ପୁଲିସ୍ ସିଗନାଲ ମୁଖ୍ୟାଳୟ ନିକଟରେ ଥିବା ଖାଲ ଖମା ସମେତ ପାଇପରେ ଅଳିଆ ଭର୍ତି ହୋଇଯାଇଥିଲା । ଆଉ ଏହାକୁ ସଫା କରିବାକୁ ଯାଇ ଫଶି ଯାଇଥିଲେ ପ୍ରାଣକୃଷ୍ଣ । ତେବେ ସ୍ଥାନୀୟ ବାସିନ୍ଦାଙ୍କ ତତ୍ପରତା ଏବଂ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ପ୍ରାଣମୁର୍ଚ୍ଛା ଉଦ୍ୟମ ବଳରେ ଶେଷରେ ଏକ ଆସନ୍ନ ସଂକଟ ଟଳି ଯାଇଛି ।