କନକ ବ୍ୟୁରୋ: ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ।

Advertisment

ସୂଚନା ଅନୁସାରେ, ପ୍ରାୟ ୫୦ କୋଟି ଟଙ୍କା ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ୧୦ ଦିନ ତଳେ ବଲାଙ୍ଗୀରକୁ ବଡ ବଡ ବ୍ୟାଗରେ ଟଙ୍କା ଭର୍ତିହୋଇ ସୁଦପଡାର ଭାଟି ମ୍ୟାନେଜରଙ୍କ ଘରକୁ ଆସିଥିଲା । ସେପଟେ ଚଢ଼ାଉ ବେଳେ ବୌଦ୍ଧ ଜିଲ୍ଲାରେ ସାଂଘାତିକ ଘଟଣା ଦେଖିବାକୁ ମିଳିଛି । ହରଭଙ୍ଗା ବ୍ଲକ ସାମ୍ପୋଚ ପଂଚାୟତର ତିତିରିକଟାରେ ଥିବା ଡିଷ୍ଟିଲାରୀ ପାଚେରୀ ବାହାରେ ପୁଳାପୁଳା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା । କିଛି ଚିରାଫଟା ନୋଟ୍ ମଧ୍ୟ ଥିଲା । ତା’ଛଡ଼ା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଟଙ୍କା ସବୁ ବୋହି ନେଇଯାଇଥିଲେ । ତେବେ କିଏ ଓ କାହିଁକି ନୋଟ୍ଗୁଡ଼ିକ ଚିରିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।