କନକ ବ୍ୟୁରୋ: ୪ ରାଜ୍ୟର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଆଉ ସମସ୍ତଙ୍କୁ ବେଶୀ ଆଶ୍ଚର୍ଯ୍ୟ କରିଛି ଛତିଶଗଡ । କେହି ଭାବିନଥିଲେ ଏଠାରେ ଭୂପେଶ ବଘେଲଙ୍କ ଶକ୍ତିଶାଳୀ ସରକାରକୁ ଭାଙ୍ଗି ବିଜେପି ସରକାର ଗଢିବ । ହେଲେ ତାହା ହିଁ ହେଲା ଛତିଶଗଡରେ ବଘେଲ ସରକାରଙ୍କୁ ଓପାଡି ଫୋପାଡିଲା ବିଜେପି । ଛତିଶଗଡ ବେମେତରା ଜିଲ୍ଲା ସାଜା ବିଧାନସଭାରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଫଳାଫଳ ସାମ୍ନାକୁ ଆସିଛି । ଯେଉଁଠାରେ ଇଶ୍ୱର ସାହୁ ନାମକ ଜଣେ ଦିନ ମଜୁରିଆ ଭୂପେଶ ବଘେଲଙ୍କ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେଙ୍କୁ ହରାଇ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା ରବିନ୍ଦ୍ର ଚୌବେ ସେହି ଆସନରୁ ୭ ଥର ନିର୍ବାଚନ ଜିତି ଆସୁଥିଲେ । ଆଉ ଇଶ୍ୱର ସାହୁ ଏହା ପୂର୍ବରୁ କୌଣସି ନିର୍ବାଚନ ନଜିତି ବି ତାଙ୍କୁ ହରାଇ ଦେଇଥିଲେ ।

Advertisment

ସାଜା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଶ୍ୱର ସାହୁଙ୍କୁ ଭରସା କରିଥିଲା ବିଜେପି । କାରଣ ସେଠାରେ କଂଗ୍ରେସ ବହୁତ ଶକ୍ତିଶାଳୀ ଥିଲା । କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା ରବିନ୍ଦ୍ର ଚୌବେ ୭ ଥରର ବିଧାୟକ ଆଉ ବଘେଲ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ହେଲେ ଜଣେ ଶ୍ରମିକ ତାଙ୍କୁ ୫ ହଜାରରୁ ଅଧିକ ଭୋଟରେ ମାତ ଦେଇଥିଲେ । ଇଶ୍ୱରଙ୍କୁ ୧ ଲକ୍ଷ ୧ ହଜାର ୭୮୯ ଭୋଟ ମିଳିଥିବା ବେଳେ ରବିନ୍ଦ୍ର ଚୌବେଙ୍କୁ ୯୬ ହଜାର ୫୯୩ ଭୋଟ ମିଳିଥିଲା ।

ଇଶ୍ୱର ସାହୁଙ୍କ ପୁଅ ୨୦୨୩ ଏପ୍ରିଲ ମାସରେ ଏକ ସମ୍ପ୍ରଦାୟିକ ଦଙ୍ଗାରେ ପ୍ରାଣ ହରାଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏଠାରେ ଏକ ସ୍କୁଲରେ ହୋଇଥିବା ମାରପିଟ ଘଟଣା ସମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା । ଆଉ ଏହି ଦଙ୍ଗାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ଇଶ୍ୱରଙ୍କ ପୁଅ ଭୁବନେଶ୍ୱର ସାହୁ ମଧ୍ୟ ଥିଲେ । ଏହି ଘଟଣା ପରେ ଛତିଶଗଡର ବଘେଲ ସରକାର ତାଙ୍କ ପରିବାରକୁ ସରକାରୀ ଚାକିରି ସହ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ । ହେଲେ ଇଶ୍ୱର ସାହୁ କ୍ଷତିପୂରଣ ନେବାକୁ ମନା କରିଥିଲେ । ଏହାପରେ ବିଜେପି ଇଶ୍ୱରଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେଇଥିଲା ।

ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା ସାଜା ଆସିଥିଲେ । ଆଉ ଇଶ୍ୱର ସାହୁଙ୍କ ପାଇଁ ପ୍ରଚାର କରିଥିଲେ । ଆଉ କହିଥିଲେ ଇଶ୍ୱର ସାହୁ କେବଳ ଜଣେ ପ୍ରାର୍ଥୀ ନୁହନ୍ତି ସେ ହେଉଛନ୍ତି ନ୍ୟାୟ ଯୁଦ୍ଧର ପ୍ରତୀକ । ଯଦି ବିଜେପି ସରକାରକୁ ଆସେ ତେବେ ଇଶ୍ୱର ସାହୁଙ୍କ ପୁଅ ଭୁବନେଶ୍ୱରଙ୍କ ସମସ୍ତ ହତ୍ୟାକାରୀଙ୍କୁ ଜେଲ ପଠାଯିବ ।

କେବଳ ଇଶ୍ୱର ସାହୁ ନୁହେଁ ସାରା ଛତିଶଗଡରେ ବିଜେପିର ବିଜୟ ହୋଇଛି । ବହୁମତ ସହ ବିଜେପି ଏବେ ଛତିଶଗଡରେ ସରକାର ଗଠନ କରିବାକୁ ଯାଉଛି । ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିବା ବେଳେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଲାଗି ରହିଛି ।