ଶ୍ରମ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି: ଲକଡାଉନ ସମୟରେ ଇପିଏଫ ଟଙ୍କା ଉଠାଇପାରିବେ କର୍ମଚାରୀ; ଜାଣନ୍ତୁ ଅନଲାଇନ ଜରିଆରେ ଟଙ୍କା ଉଠାଇବାର ପୂରା ପ୍ରକ୍ରିୟା

ଶ୍ରମ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି: ଲକଡାଉନ ସମୟରେ ଇପିଏଫ ଟଙ୍କା ଉଠାଇପାରିବେ କର୍ମଚାରୀ; ଜାଣନ୍ତୁ ଅନଲାଇନ ଜରିଆରେ ଟଙ୍କା ଉଠାଇବାର ପୂରା ପ୍ରକ୍ରିୟା

କନକ ବ୍ୟୁରୋ: ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଥିବାରୁ ବେତନଭୋଗୀ ବର୍ଗଙ୍କ ଅସୁବିଧା ଦୂର କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ୬ କୋଟିରୁ ଅଧିକ ସଦସ୍ୟ ସେମାନଙ୍କ ଖାତାରେ ଥିବା ଟଙ୍କାରୁ କିଛି ମାତ୍ରାର ଟଙ୍କା ଉଠାଇ ପାରିବେ। ସାରା ଦେଶରେ ଜାରି କରାଯାଇଥିବା ଲକ୍ ଡାଉନକୁ ବିଚାରକୁ ନେଇ ଶ୍ରମ ମନ୍ତ୍ରଣାଳୟ ତରଫରୁ ଏହି ଅନୁମତି ଦିଆଯାଇଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ସଦସ୍ୟମାନେ ଯେଉଁ ଟଙ୍କା ଉଠାଇବେ ତାହା ସେମାନଙ୍କ ତିନି ମାସର ମୌଳିକ ଦରମା ଓ ଭତ୍ତା ଠାରୁ ଅଧିକ ହେବ ନାହିଁ। ଶ୍ରମ ମନ୍ତ୍ରଣାଳୟ ତରଫରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିପାଇଁ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସ୍କିମ୍, ୧୯୫୨ରେ ସଂଶୋଧନ କରାଯାଇଛି। ଏହି ବିଜ୍ଞପ୍ତି ଜାରି ହେବା ପରେ ଇପିଏଫଓ ତରଫରୁ ସେ ସଂକ୍ରାନ୍ତରେ ସମସ୍ତ ଫିଲ୍ଡ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଟଙ୍କା ଉଠାଣ ଲାଗି ଆସୁଥିବା ଆବେଦନଗୁଡ଼ିକର ତ୍ବରିତ ସମାଧାନ ପ୍ରଦାନ କରିବା ଲାଗି ସେମାନଙ୍କୁ କୁହାଯାଇଛି। ଇପିଏଫ୍ ଉଠାଣ ନିୟମ ଶନିବାରଠାରୁ ଲାଗୁ କରାଯାଇଥିବା ବେଳେ ଅନଲାଇନ୍ରେ ଆବେଦନ ଗ୍ରହଣ କରାଯାଉଛି।

publive-image

ଏହା ପୂର୍ବରୁ କେବଳ ୧୦ ପ୍ରକାର ସ୍ବତନ୍ତ୍ର ଆବଶ୍ୟକତା ଲାଗି ଇପିଏଫଓ ଏହାର ସଦସ୍ୟମାନଙ୍କୁ ଆଶିଙ୍କ ଉଠାଣର ଅନୁମତି ଦେଉଥିଲା। ସେଗୁଡ଼ିକ ହେଉଛି ଘର କିଣିବା କିମ୍ବା ନିର୍ମାଣ କରିବା, ଅସୁସ୍ଥତା, ବିବାହ, ଉଚ୍ଚଶିକ୍ଷା, ଜାତୀୟ ବିପତ୍ତି, ଚାକିରି ହରାଇବା ଇତ୍ୟାଦି। ଏହି ତାଲିକାରେ ୧୧ତମ କାରଣ ଭାବେ କରୋନା ବିଶ୍ବ ମହାମାରୀକୁ ସାମିଲ କରାଯାଇଛି।ଇପିଏଫ୍ ଟଙ୍କା ଉଠାଇବାକୁ ହେଲେ ସଦସ୍ୟମାନଙ୍କୁ ଇପିଏଫଓର ପୋର୍ଟାଲରେ ନିଜର ୟୁଏଏନ୍ ନମ୍ବର ଓ ପାସୱାର୍ଡ ଦେଇ ଲଗ୍ ଇନ୍ କରିବାକୁ ପଡ଼ିବ। ଏହା ପରେ ‘ଅନଲାଇନ୍ ସେବା’ ବର୍ଗରେ ଥିବା ‘କ୍ଲେମ୍ (ଦାବି)’କୁ ଯାଇ ବ୍ୟାଙ୍କ ଖାତା ନମ୍ବର ଯାଞ୍ଚ କରିବାକୁ ହେବ ଏବଂ ବ୍ୟାଙ୍କ ଚେକ୍ ଓ ପାସବୁକର ସ୍କାନ୍ ନକଲ ଅପଲୋଡ୍ କରିବାକୁ ହେବ। ଟଙ୍କା ଉଠାଣର କାରଣ ସ୍ଥାନରେ ‘ବିଶ୍ବ ମହାମାରୀ ବ୍ୟାପିବା’ ଲେଖିବାକୁ ହେବ। ଏହା ପରେ ଆଧାର ଓଟିପି ସୃଷ୍ଟି କରିବାକୁ ହେବ। ଦାବିର ପ୍ରକ୍ରିୟାକରଣ ହୋଇଯିବା ପରେ ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe