ଶ୍ରମିକ ବନିଲେ ବିଧାୟକ: ସାତ ସାତ ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ନେତାଙ୍କୁ ପରାସ୍ତ କରି, ବିଧାୟକ ହେଲେ ଛତିଶଗଡର ଇଶ୍ୱର ସାହୁ

1,639

କନକ ବ୍ୟୁରୋ: କଥାରେ କୁହନ୍ତି, ଭାଗ୍ୟରେ ରାଜ ଯୋଗ ଥିଲେ ଜଣେ ରାଜା ହୁଏ । ଏବେ ତ’ ରାଜା ନାହାଁନ୍ତି, ବିଧାୟକ, ସାଂସଦ ଆଦି ନିର୍ବାଚିତ ହେଉଛନ୍ତି । କେବଳ ଯେ, ଜନତାଙ୍କ ସମର୍ଥନ ଥିଲେ ଜଣେ ଜନନେତା ହୋଇଯାଏ ତାହା ନୁହେଁ, ବରଂ ରାଜ ଯୋଗ ଥିଲେ ଜଣଙ୍କୁ ଆସନ ମିଳେ ବୋଲି ଅନେକ ବିଶ୍ୱାସ କରନ୍ତି । ପଡ଼ୋଶୀ ଛତିଶଗଡ଼ରେ ଏମିତି ଏକ ଘଟଣା ଘଟିଛି । କଂଗ୍ରେସ ଟିକେଟରେ ୭-୭ଥର ବିଧାୟକ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀଙ୍କୁ ନିର୍ବାଚନରେ ପରାସ୍ତ କରିଛନ୍ତି ଜଣେ ଶ୍ରମିକ ।

ପୁଅର ହତ୍ୟା ପରେ ଫଟୋ ଧରି ନ୍ୟାୟ ଭିକ୍ଷା କରୁଥିବା ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଲି ବୁଲି ଦାବି କରୁଥିବା ଏହି ବ୍ୟକ୍ତି ଜଣକ ବିଧାୟକ ନିର୍ବାଚିତ ହୋଇଯିବେ, ଏହା କେହି କେବେ ବିଶ୍ୱାସ କରୁନଥିଲେ । ପରିବାର ପୋଷିବା ପାଇଁ ଶ୍ରମିକ ଭାବେ କାମ କରୁଥିବା ଏହି ଭଦ୍ରବ୍ୟକ୍ତି ଜଣକ, ୭-୭ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ଜଣେ ପୁରୁଖା ନେତାଙ୍କୁ ପରାଜିତ କରି ବିଧାୟକ ନିର୍ବାଚିତ ହୋଇଛନ୍ତି ।

ନାଁ: ଈଶ୍ୱର ସାହୁ
ନବନିର୍ବାଚିତ ବିଧାୟକ
ଛତିଶଗଡ଼ ସାଜା ବିଧାନସଭା ଆସନରୁ ୧ ଲକ୍ଷରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିବା ଇଶ୍ୱର ସାହୁଙ୍କ କାହାଣୀ ବେଶ୍ ଦୁଃଖ ଦାୟକ । ୨୨ ବର୍ଷର ବଢ଼ିଲା ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରି ଦିଆଗଲା । ସାଂଦାୟିକ ହିଂସାରେ ପୁଅର ହତ୍ୟା ପରେ ପୁଅର ଫଟୋ ଧରି ବୁଲି ବୁଲି ନ୍ୟାୟ ମାଗୁଥିଲେ । ହେଲେ ସବୁଆଡୁ ନିରାଶ ହେବା ପରେ ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିଲେ ଈଶ୍ୱର ।

ସଂଘର୍ଷ ଏତେ ସହଜ ନଥିଲା । ପରିବାର ଚଳାଇବା ପାଇଁ ଶ୍ରମିକଭାବେ କାମ କରୁଥିବା ଇଶ୍ୱର, ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବା ପାଇଁ ଯେତେବେଳେ ନିଷ୍ପତି ନେଇଥିଲେ, ଇଶ୍ୱରଙ୍କୁ ଉପହାସ କରୁଥିଲେ । ହେଲେ ଗରିବ ଲୋକଙ୍କ ଲଢ଼େଇ ଲଢ଼ିବାକୁ ପଣ କରିଥିବା ଈଶ୍ୱର ଶେଷରେ, ଭୁପେଶ ବାଘେଲଙ୍କ ସରକାରରେ କୃଷି ମନ୍ତ୍ରୀ ଥିବା ରବୀନ୍ଦ୍ର ଚୌବେଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ବଡ଼ କଥା ହେଉଛି ଇଶ୍ୱରଙ୍କ ପାଇଁ ପ୍ରଚାର କରିଥିଲେ ଖୋଦ୍ ଅମିତ ଶାହା ।

ଈଶ୍ୱର ସାହୁଙ୍କୁ ମିଳିଛି ୧ ଲକ୍ଷ ୧୭ଶହ ୮୯ ଭୋଟ୍
୭ଥରର ବିଧାୟକଙ୍କୁ ୫ ହଜାର ଭୋଟରେ ହରାଇଛନ୍ତି
ଅତି ସାମାନ୍ୟ ପରିବାରରୁ ଆସିଥିବା ଈଶ୍ୱର ଯେତେବେଳେ ପୁଅର ହତ୍ୟା ପାଇଁ ନ୍ୟାୟ ମାଗୁଥିଲେ । ସେତେବେଳେ କଂଗ୍ରେସ ସରକାର ପକ୍ଷରୁ କ୍ଷତିପୁରଣ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏସବୁକୁ ପ୍ରତ୍ୟାଖ୍ୟାନ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ଈଶ୍ୱର ।