ରାହୁଲ ଗାନ୍ଧୀଙ୍କ ପଛ ଛାଡୁନି ବିବାଦ । ଭିଡିଓ ଜାରି କରି ରାହୁଲଙ୍କୁ ପ୍ରଶ୍ନ କଲା ବିଜେପି । ତେଲେଙ୍ଗାନା ରାଜ୍ୟ କଂଗ୍ରେସ ନେତାଙ୍କ ବୈଠକର ଭିଡିଓ ହେଉଛି ଭାଇରାଲ 

139

କନକ ବ୍ୟୁରୋ: ନେପାଳ ନାଇଟକ୍ଲବ ଭିଡିଓ ପରେ ଏବେ ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନୂଆ ଭିଡିଓ । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଆଜି ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ନେଇ ପୁଣି  ଖବରରେ ରହିଛନ୍ତି ରାହୁଲ । ଭିଡିଓରେ ରାହୁଲ ଓ ତେଲେଙ୍ଗାନା ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତାଙ୍କୁ ଏକାଠି ବସିଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ନେତାଙ୍କ କଥାର ଉତର ରଖି ରାହୁଲ କହିଥିଲେ “କ୍ୟା ବୋଲନା ହୈ ବା କଣ କହିବାକୁ ହେବ”? ୧୭ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି କିପରି ରାହୁଲ ତେଲେଙ୍ଗାନା ରାଜ୍ୟ କଂଗ୍ରେସର ନେତାଙ୍କୁ ପଚାରୁଛନ୍ତି କି ଆଜିର ମୁଖ୍ୟ ପ୍ରସଙ୍ଗ କଣ? କଣ କହିବାକୁ ପଡିବ? ବିଜେପି ଦାବି କରିଛି ଏହି ଭିଡିଓ ତେଲେଙ୍ଗାନା ରାଜ୍ୟ ଚାଷୀ ସମାବେଶର ଠିକ୍ ପୂର୍ବର । ତେଲେଙ୍ଗାନା ଚାଷୀମାନଙ୍କୁ ସମ୍ବୋଧିତ କରିବା ପୂର୍ବରୁ ରାହୁଲ ଏହି ବୈଠକରେ ଯୋଗ ଦେଇ ଦଳୀୟ ନେତାଙ୍କୁ ଏଭଳି କିଛି ଢଙ୍ଗରେ ପ୍ରଶ୍ନ କରିଥିଲେ ।

 ଘଟଣା ଉପରେ ପ୍ରତିକ୍ର୍ରିୟା ରଖିଛନ୍ତି ତେଲେଙ୍ଗାନା ରାଜ୍ୟ କଂଗ୍ରେସ ନେତା ବ୍ରିଜେଶ କଲପ୍ପା । ବିଜେପି ଜାଣିଶୁଣି କଂଗ୍ରେସ ନେତାଙ୍କୁ ଟାର୍ଗେଟ ଓ କଟାକ୍ଷ କରୁଥିବା ସେ ଅଭିଯୋଗ କରିଛନ୍ତି । ଏଭଳି କରିବା ଅନୁଚିତ ବୋଲି କଂଗ୍ରେସ ନେତା କହିଛନ୍ତି ।

ଏହି ଭିଡିଓକୁ ପୋଷ୍ଟ କରି ବିଜେପି କଟାକ୍ଷ କରି କହିଛି–ବ୍ୟକ୍ତିଗତ  ବିଦେଶ ଟ୍ରିପ ଓ ନାଇଟକ୍ଲବିଂ ନେଇ ଯେତେବେଳେ ରାଜନୀତି କରାଯାଏ ସେତେବେଳେ ଏସବୁ ଘଟେ । କିଛି ଦିନ ପୂର୍ବର  ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ରାହୁଲଙ୍କ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ  ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଟୁଇଟର ଯୁଦ୍ଧ ଦେଖିବାକୁ ମିଳିଥିଲା । କାଠମାଣ୍ଡୁ ନାଇଟକ୍ଲବକୁ ରାହୁଲ ଯାଇଥିବା ସମୟରେ ଏକ ଭିଡିଓ ପୋଷ୍ଟ କରିଥିଲା ବିଜେପି ଆଇଟି ସେଲ  । ଭିଡିଓରେ ରାହୁଲ ଜଣେ ମହିଳା ବାନ୍ଧବୀଙ୍କ ସହ ନଜର ଆସିଥିଲେ । ଘଟଣାକୁ ନେଇ ବିବାଦ ସୃଷ୍ଟି ପରେ କଂଗ୍ରେସ ନିଜ ପକ୍ଷ ରଖିଥିଲା । ଦଳ କହିଥିଲା ରାହୁଲ ନିଜର ବନ୍ଧୁ ତଥା ସାମ୍ବାଦିକ ସୁମାନିଆ ଉଦାସଙ୍କ ବାହାଘର କାର୍ଯ୍ୟକ୍ରମ ପାଇଁ ନେପାଳ ଗସ୍ତରେ ଅଛନ୍ତି । ବ୍ୟକ୍ତିଗତ କଥାକୁ ବିଜେପି ବିବାଦର ରୂପ ଦେଉଛି । ପରେ ବିଜେପି ନେତାଙ୍କ ଫଟୋ ଓ ଭିଡିଓ ପୋଷ୍ଟକରି ପାଲଟା ଜବାବ ଦେଇଥିଲା କଂଗ୍ରେସ ।  ବିବାଦ ଥଣ୍ଡା ପଡିଥିଲେ ବି କଂଗ୍ରେସ ନୂଆ ନୂଆ ଭିଡିଓ ଜାରି କରି ରାହୁଲଙ୍କ କାଠମାଣ୍ଡଗସ୍ତକୁ  ଉପରେ ନିଜର କଥା ସୋସିଆଲ ମିଡିଆରେ ରଖୁଛି । ପୂର୍ବ ଭିଡିଓକୁ ନେଇ ଟୁଇଟର ୱାର ଚାଲିଥିବାବେଳେ ଏବେ ପୁଣି ନୂଆ ଭିଡିଓ ଜାରି କରି କଂଗ୍ରେସକୁ ଘେରିବାକୁ ପ୍ରୟାସ କରିଛି ବିଜେପି । ଘଟଣା ଉପରେ ଭିନ୍ନଭିନ୍ନ ପ୍ରତିକ୍ରିୟା ପାଉଛି ।