କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିଛି କଂଗ୍ରେସ । କ୍ଷମତାସୀନ ବିଆରଏସର ହ୍ରାଟିକ ବିଜୟ ସ୍ୱପ୍ନକୁ ଧୂଳିସାତ କରିଛି କଂଗ୍ରେସ । ପ୍ରଥମଥର ପାଇଁ ତେଲେଙ୍ଗାନାରେ ସରକାର ଗଢିବ କଂଗ୍ରେସ । ଅନ୍ୟପଟେ ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜୟ ହାସଲ କରିଥିବା ବିଜେପି ତେଲେଙ୍ଗାନାରେ ନିଜର ମ୍ୟାଜିକ ଦେଖାଇ ପାରିନାହିଁ । ତେଲେଙ୍ଗାନାରେ ମାତ୍ର ୮ଟି ବିଜେପି ଆସନରେ ବିଜୟ ହାସଲ କରିଛି । ତେବେ ଏହି ଆସନ ମଧ୍ୟରୁ କାମାରେଡ୍ଡୀ ଆସନ ଉପରେ ସଭିଙ୍କର ନଜର ଥିଲା । କାରଣ ଏହି ଆସନରେ ମୁଖ୍ୟମନ୍ତ୍ରୀ କେସିଆର ଓ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ମୈଦାନକୁ ଓହ୍ଲାଇଥିଲେ । କିନ୍ତୁ ଏହି ହାଇପ୍ରୋଫାଇଲ ଆସନରେ କେସିଆର ଓ ରେବନ୍ତଙ୍କୁ ମାତ୍ ଦେଇ ବାଜି ମାରି ନେଇଛନ୍ତି ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ । ଦୁଇ ହେଭିୱେଟଙ୍କୁ ମାତ୍ ଦେଇଛନ୍ତି କଟିପଲ୍ଲୀ । ଏହି ଆସନରେ କେସିଆର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରେବନ୍ତ ରେଡ୍ଡୀ ତୃତୀୟ ସ୍ଥାନରେ ରହିଛନ୍ତି ।

Advertisment

କଂଗ୍ରେସର ଏହି ମହାବିଜୟର ଶ୍ରେୟ ଦଳର ରାଜ୍ୟ ସଭାପତି ରେବନ୍ତ ରେଡ୍ଡୀଙ୍କୁ ଦେଇଛନ୍ତି କର୍ମୀ । ଏପରିକି ରେବନ୍ତଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି କର୍ମୀ । ରେବନ୍ତ କାମାରେଡ୍ଡି ଆସନରୁ ପରାଜିତ ହୋଇଥିଲେ ମଧ୍ୟ କୋଣ୍ଡଗଲ ଆସନରୁ ବିଜୟୀ ହୋଇଛନ୍ତି ।