କନକ ବ୍ୟୁରୋ: କଥାଟାକୁ ସହଜରେ ବିଶ୍ୱାସ କରିହେଉନଥିଲେ ବି ଏହା ଏକଦମ୍ ସତ । ମହିଳାଙ୍କ ପ୍ରତିଶୋଧର ନିଆଁରେ ଜଳିଗଲେ ୫୭ଜଣ । ଅନେକ ପୋଡିଯାଇ ଗୁରୁତର ହୋଇପଡିଲେ । ଏଭଳି ଭୟଙ୍କର କାଣ୍ଡ ଘଟିଥିଲା କୁଏତରେ । ଆଉ ଏପରି ଜଘନ୍ୟ କାଣ୍ଡ ଘଟାଇଥିଲେ ନାଜରା ୟୁସୁଫ ଏଲେଞ୍ଜି ନାମକ ମହିଳା ।

Advertisment

୨୦୦୯ ଅଗଷ୍ଟ ୧୫ ତାରିଖରେ ଘଟିଥିଲା ଏଭଳି ଛାତିଥରା ଘଟଣା । କୁଏତ୍ ବାସିନ୍ଦା ନାଜରା । ସେ ଜଣେ ବିବାହିତା ମହିଳା, ୨ଟି ସନ୍ତାନର ମା’ । ହେଲେ ଦୁଇଟି ବିକଳାଙ୍ଗ ସନ୍ତାନଙ୍କୁ ପାଇବା ପରେ ତାଙ୍କ ଜୀବନ ଯେପରି ଦୁଃଖରେ ଭରିଯାଇଥିଲା । ତଥାପି ସ୍ୱାମୀ ଓ ପିଲାମାନଙ୍କ ସହ କଟିଯାଉଥିଲା ଦିନ । ହେଲେ ଜୀବନ କ୍ରମଶଃ ଦୁର୍ବିସହ ହୋଇପଡିଥିଲା ।

ସୂଚନା ମୁତାବକ, ନାଜରା ଜନ୍ମରୁ ହିଁ ଚୁପଚାପ୍ ସ୍ୱଭାବର ମହିଳା ଥିଲେ । ଅତି ସାଧାରଣ କଥାରେ ସେ ବିରକ୍ତ ଭାବ ପ୍ରକାଶ କରୁଥିଲେ । ସ୍ୱାମୀ ଓ ପିଲାଙ୍କ ଉପରେ ବିରକ୍ତ ମଧ୍ୟ ହେଉଥିଲେ । ନାଜରାଙ୍କ ଦୁଇଟି ଯାକ ସନ୍ତାନ ବିକଳାଙ୍ଗ ଥିଲେ । ଏଥିମଧ୍ୟରେ ଦ୍ୱିତୀୟ ବିବାହ କରିବାକୁ ଇଚ୍ଛୁକ ଥିଲେ ଜାଏଦ୍ । ଇସଲାମ୍ ଧର୍ମ ମୁତାବକ, ଜଣେ ପୁରୁଷ ଅତ୍ୟଧିକ ୪ଟି ମହିଳାଙ୍କୁ ବିବାହ କରିପାରିବେ । ହେଲେ  ସ୍ୱାମୀଙ୍କର ଦ୍ୱିତୀୟ ବିବାହକୁ ନାପସନ୍ଦ କରୁଥିଲେ ନାଜରା । ମାତ୍ର , ନାଜରାଙ୍କ କଥାକୁ ଅମାନ୍ୟ କରି ଅନ୍ୟ ମହିଳାଙ୍କୁ ବିବାହ କରିବାକୁ ଝିଅଙ୍କ ସନ୍ଧାନରେ ଲାଗିପଡିଲେ । ୨ଟି ବିକଳାଙ୍ଗ ସନ୍ତାନ ଥିବାରୁ ଜାଏଦ ଏଭଳି କରୁଥିବା ନାଜରା ଅନୁଭବ କରିଥିଲେ । ୨୦୦୯ ଅଗଷ୍ଟ ୧୫ ତାରିଖରେ ଜାଏଦ୍ ଦ୍ୱିତୀୟ ବିବାହ କରୁଥିବା ସେ ଜାଣିବାକୁ ପାଇଲେ । ଏହା ଜାଣିବା ପରେ ନାଜରା ରଚିଥିଲେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଷଡଯନ୍ତ୍ର ।

ଜାଏଦ୍ ଦ୍ୱିତୀୟ ବିବାହ କରୁଥିବା ବେଳେ ନାଜରା ମଧ୍ୟ ସେଠାକୁ ଯାଇଥିଲେ । ନିଜ ଗାଡିରେ ଛୋଟ ଛୋଟ ଟ୍ୟାଙ୍କ ଭର୍ତ୍ତି କରିଥିଲେ । ଏହି ଟ୍ୟାଙ୍କ ଭିତରେ ଥିଲା ପେଟ୍ରୋଲ । ନିଜେ ବୁର୍ଖା ପିନ୍ଧି ଟେଣ୍ଟ ହାଉସ୍ ଭିତରକୁ ଯାଇଥିଲେ । ସେଠାରେ ଲୁଚି ଲୁଚି ବନ୍ଧା ହୋଇଥିବା ଟେଣ୍ଟ ଉପରେ ପେଟ୍ରୋଲ ଛିଞ୍ଚି ଦିଆସିଲି ମାରିଦେଇଥିଲେ । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଉଠିଥିଲା ପୁରା ବିବାହ ଉତ୍ସବ ପାଇଁ ଲାଗିଥିବା ଟେଣ୍ଟ । ବିବାହ ଉତ୍ସବରେ ଶହଶହ ଲୋକ ଉପସ୍ଥିତ ଥିଲେ । ଫଳରେ ନିଆଁରେ ଜିବନ୍ତ ପୋଡିଯାଇଥିଲେ ୫୭ଜଣ, ଅନେକ ପୋଡିଯାଇ ଗୁରୁତର ହୋଇଥିଲେ ।

ନିଆଁ ଲାଗିବା ପରେ ମାତ୍ର ୩ ମିନିଟରେ ୫୭ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଟେଣ୍ଟ ଭିତରେ ଅଧିକ ଶିଶୁ ଓ ମହିଳା ଥିଲେ । ତେଣୁ ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଓ ଶିଶୁ ହିଁ ଥିଲେ ।

ଏହି ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ, ମୃତକଙ୍କ ଡିଏନଏ ପରୀକ୍ଷା ପରେ ହିଁ ସେମାନଙ୍କ ପରିଚୟ ମିଳିଥିଲା । ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ଛୋଟଛୋଟ ପେଟ୍ରୋଲ ଟ୍ୟାଙ୍କ ପୋଲିସ ହାତରେ ମିଳିଥିଲା । ଏ ଘଟଣାରେ ପୋଲିସ ନାଜରାଙ୍କୁ ଗିରଫ କରି ଜେରା କରିବାରୁ ସେ ସବୁ ସତ କଥା ମାନିଯାଇଥିଲେ । ନାଜରା ଦୋଷୀ ସାବ୍ୟସ୍ତ ହେବା ପରେ ୨୦୧୭ ଜାନୁଆରୀ ୨୫ ତାରିଖରେ କୁଏତ୍ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ।