ବିରାଟଙ୍କୁ ଶୁଭେଚ୍ଛା କାହିଁକି ଜଣାଇବି? ସାମ୍ବାଦିକ ସମ୍ମିଳନୀରେ ଏମିତି କହି ହସିଲେ ଶ୍ରୀଲଙ୍କା ଅଧିନାୟକ, ଟ୍ରୋଲ କଲେ କୋହଲିଙ୍କ ଫ୍ୟାନ୍ ।
କନକ ବ୍ୟୁରୋ : ଜନ୍ମଦିନରେ ଶତକ ହାସଲ କରିବା ସହ କୋହଲି ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି । ଦିନିକିଆରେ ସଚିନଙ୍କ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି ବିରାଟ । ଦିନିକିଆରେ ୪୯ତମ ଶତକ ହାସଲ ପରେ କୋହଲିଙ୍କ ପ୍ରଂଶସାରେ ଶତମୁଖ ବିଶ୍ୱର ଜଣାଶୁଣା କ୍ରିକେଟର । ଏପରିକି କୋହଲିଙ୍କ କୋଟି କୋଟି ପ୍ରଂଶସକ ମଧ୍ୟ ନୂଆ ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ ପାଲଟିଛି ବିରାଟଙ୍କ ଶତକ । ଖୋଦ୍ ସଚିନ ମଧ୍ୟ ବିରାଟଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ରେକର୍ଡ ଖୁବଶୀଘ୍ର ଭାଙ୍ଗନ୍ତୁ ବୋଲି କହିଛନ୍ତି । କିନ୍ତୁ ବିରାଟଙ୍କ ଶତକକୁ ନେଇ ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ ଅଜବ ବୟାନ ଦେଇଛନ୍ତି । ଯାହାକୁ ନେଇ କୁଶଲଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି କୋହଲିଙ୍କର ଫ୍ୟାନ୍ ।

Kanak News is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକ ସମ୍ମିଳନୀରେ କୁଶଲଙ୍କୁ ବିରାଟଙ୍କ ୪୯ତମ ଶତକ ବାବଦରେ ଅବଗତ କରାଯିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ । ଏହାର ଉତ୍ତରରେ କୁଶଲ କହିଥିଲେ, ମୁଁ ବିରାଟଙ୍କୁ କାହିଁକି ଶୁଭେଚ୍ଛା ଜଣାଇବି । ଏହା କହିବା ସହ କିଛି ସମୟ ହସିଥିଲେ । ଯାହାର ଭିଡ଼ିଓ କିଛି ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସାଧାରଣତଃ କୌଣସି ଖେଳାଳୀ ନୂଆ ରେକର୍ଡର ଅଧିକାରୀ ହେଲେ ଅନ୍ୟ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । କିନ୍ତୁ କୁଶଲ କାହିଁକି ଶୁଭେଚ୍ଛା ଜଣାଇବି ବୋଲି କହି ହସିବା ବିରାଟଙ୍କ ଫ୍ୟାନଙ୍କୁ ଆଘାତ ଦେଇଛି । ଯେଉଁଥିପାଇଁ ଏବେ ସୋସିଆଲ ମିଡ଼ିଆରେ କୁଶଲଙ୍କୁ ଟ୍ରୋଲର ଶିକାର ହେବାକୁ ପଡୁଛି ।
Journalist ” Virat Just scored his 49th ODI ton. Do you like to congratulate him?”
Kusak Mendis” Why I would congratulate him”😭😭😭#INDvSA #INDvsSA #SAvIND #ViratKohli #CWC2023 pic.twitter.com/DAqh2oeO5e
— Out Of Context Cricket PK (@GemsOfCrickett) November 5, 2023
ଚଳିତ ବିଶ୍ୱକପରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଶୋଚନୀୟ ପରାଜୟ ବରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୩୫୭ ରନ୍ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା । ତେଣୁ ଏହି ପରାଜୟକୁ ଶ୍ରୀଲଙ୍କାର ଅଧିନାୟକ କୁଶଲ ମେଣ୍ଡିସ ବୋଧହୁଏ ହଜମ କରିପାରିନଥିବା କହିଛନ୍ତି କୋହଲିଙ୍କ ଫ୍ୟାନ୍ । ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ୭ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇ ସେମିଫାଇନାଲ ରେସରୁ ଏକପ୍ରକାର ବାଦ୍ ପଡି ସାରିଛି । ଏସବୁ ଭିତରେ କୋହଲିଙ୍କର ୪୯ତମ ଶତକ ସେହି ଇଡେନ ଗାର୍ଡେନରୁ ଆସିଛି ଯେଉଁଠି ବିରାଟ ନିଜ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ । ଆଉ ଗୋଟିଏ ଶତକ ହାସଲ କଲେ କୋହଲି ଦିନିକିଆରେ ସର୍ବାଧିକ ଶତକ ହାସଲକାରୀ ଖେଳାଳୀ ଭାବେ ଇତିହାସ ରଚିବେ । ଚଳିତ ବିଶ୍ୱକପରେ କୋହଲି ଏଯାଏଁ ୮ଟି ମ୍ୟାଚରୁ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୫୪୩ ରନ୍ କରିଛନ୍ତି । ଏହାସହ ସର୍ବର୍ାଧିକ ରନ୍ ସଂଗ୍ରହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ ସହ ଏଯାଏଁ ଅପରାଜେୟ ରହିଛି । ଭାରତ ୮ଟି ମ୍ୟାଚରୁ ୮ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଆସନ୍ତା ୧୨ ତାରିଖରେ ଭାରତ ନିଜର ଶେଷ ଲିଗ୍ ମ୍ୟାଚ୍ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ।