କନକ ବ୍ୟୁରୋ : ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ଲାଗି ଅନେକ ଯୋଜନା କରୁଛନ୍ତି । ତେବେ ପ୍ରକୃତରେ ତାହା କେତେ ଦୂର ସଫଳ ହେଲା ତାହାର ଉତ୍ତର କାହା ପାଖରେ ନାହିଁ । ତେବେ କୋଣାର୍କ-ପୁରୀ ବେଳାମାର୍ଗର ପ୍ରାକୃତିକ ପରିବେଶ ସାଙ୍ଗକୁ ରାମଚଣ୍ଡୀ ନିକଟରେ କୁଶଭଦ୍ରା ନଦୀରେ ବୋଟିଂ ପର୍ଯ୍ୟଟକଙ୍କୁ ବେଶ ଆମୋଦିତ କରିଥାଏ। ଏବେ ବର୍ଷାରେ କୁଶକଦ୍ରା ନଦୀ ଜଳପତ୍ତନ ବୃଦ୍ଧି ପାଇଛି। କିନ୍ତୁ କୁଶଭଦ୍ରା ନଦୀରେ ଭାସି ଆସିଥିବା ଦଳର ଆସ୍ତରଣ ଏବେ ରାମଚଣ୍ଡୀଠାରୁ ଭଙ୍ଗା ମୁହାଣ ପର୍ଯ୍ୟନ୍ତ ନଦୀ ଜଳ ଉପରେ ଭର୍ତି ହୋଇ ରହିଛି। ଫଳରେ ବେଳାମାର୍ଗର ସାହୁଖଣତା ନିକଟରେ ଥିବା ବୋଟିଂ କଂପ୍ଳେକ୍ସ ଏବେ ଖାଁଖାଁ ହୋଇପଡ଼ିଛି। ଦଳ ମଧ୍ୟରେ ବୋଟ୍ ଚଳାଇବା ସମ୍ଭବ ହେଉନଥିବାରୁ ବୋଟ ଚଳାଚଳ ବନ୍ଦ ରହିଛି। ଏହାକୁ ନେଇ ବୋଟ୍ ବ୍ୟବସାୟ ବାଧାପ୍ରାପ୍ତ ହୋଇ ପେଟପାଟଣା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ବୋଟ୍ ଚଳାଚଳ ବନ୍ଦ ରହିଥିବାରୁ ପର୍ଯ୍ୟଟକମାନେ ବୋଟିଂ କରି ନପାରି ଅସନ୍ତୋଷ ବ୍ୟକ୍ତ କରି ଫେରୁଥିବାର ଦେଖାଯାଇଛି। ଭର୍ତି ହୋଇ ରହିଥିବା ଦଳ ଜୁଆରରେ ସମୁଦ୍ରକୁ ନ ଯିବା ପର୍ଯ୍ୟନ୍ତ ବୋଟ୍ ଚଳାଚଳ ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏକା ସାଙ୍ଗରେ ସମୁଦ୍ର ଓ ନଦୀର ମୁହାଣରେ ବୋଟିଂ କରିବା ଲାଗି ଅନେକ ଲୋକ ରାମଚଣ୍ଡୀକୁ ଯାଇଥାଆନ୍ତି । ତେବେ ଏପରି ସମସ୍ୟା କାରଣରୁ ଅନେକ ଲୋକ ବୋଟିଂ ନକରି ଫେରୁଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ।