କନକ ବ୍ୟୁରୋ: ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଲାଣି । ନେତା ଆଉ ପ୍ରାର୍ଥୀ ଭୋଟରଙ୍କ ମନ ଜିତିବା ପାଇଁ ପ୍ରତିଶ୍ରୁତିର ପାହାଡ ଠିଆ କରି ଦେଉଛନ୍ତି । କିନ୍ତୁ ଗତ ନିର୍ବାଚନ ମାନଙ୍କରେ ଦେଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହୋଇଛି ଆଉ କେତେ ସାଧାରଣ ଲୋକଙ୍କ କଥା ଶୁଣିଛନ୍ତି ତାକୁ ନେଇ ଏବେ ସାଧାରଣ ଲୋକ ନେତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି ।
ତେବେ ପ୍ରତିଶ୍ରୁତି ପ୍ରତାରଣରେ ପରିଣତ ହେବାପରେ ଆଉ ପ୍ରାର୍ଥୀ ମାନଙ୍କୁ ପାଖରେ ପୁରାଇ ଦେଉନାହାନ୍ତି ଲୋକେ । ଆଗ ଆମ ଆବଶ୍ୟକତା ପୂରଣ କର, ତା ପରେ ଭୋଟ । ଏମିତି କିଛି ଘଟଣା ଘଟିଛି ଅସ୍ତରଙ୍ଗ ବ୍ଳକ୍ ଆଳଙ୍ଗପୁର ପଞ୍ଚାୟତର ବରପଦା ଗ୍ରାମର କୁନିଲତା ମଳିକଙ୍କ କ୍ଷେତ୍ରରେ । ୨୦୧୨ ମସିହା ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପ୍ରାର୍ଥୀ ହୋଇ ଅଳ୍ପ ଭୋଟରେ ହାରିଯାଇଥିଲେ କୁନି । ସେଦିନ ବାସହରାଙ୍କୁ ଆବାସ ଖଣ୍ଡେ ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ , ହେଲେ ନିର୍ବାଚନ ରେ ସେ ହାରିଗଲେ , ହେଲେ ନିଜର ଆଶା ଆଶାରେ ରହିଗଲା । ଏବେ ସେ ଫଟା କାନ୍ଥ ଭରା ଆଜବେଷ୍ଟସ୍ ଘରେ ବସବାସ କରୁଛନ୍ତି ।
କୁନିଲତା ମଳିକଙ୍କ ଘର ଅସ୍ତରଙ୍ଗ ବ୍ଳକର ବରପଦା ଗ୍ରାମରେ । ଭଙ୍ଗା କୁଡିଆ ଘରେ ଚଳୁଥିଲେ । ଧାର ଉଧାର କରି ମଜୁରୀ ଲାଗି ଆଜବେଷ୍ଟସ୍ ଘର ଖଣ୍ଡେ କଲେ । ତାହାକୁ ପକ୍କା ଘରରରେ ପରିଣତ ପାଇଁ ବହୁ ନେତା ମନ୍ତ୍ରୀଙ୍କ ପାଖକୁ ଦୌଡି ନୟାନ୍ତ ହେଲେ କେହି ଶୁଣିଲେନି । ଶେଷର ସରକାରୀ ଯୋଜନାରୁ ଭଲ ଘର ଖଣ୍ଡେ ନିଜ ପାଇଁ ତଥା ତାଙ୍କ ପରି ଅସହାୟଙ୍କ ପାଇଁ ଯୋଗାଇ ଦେବା ଭାବନାରେ ୨୦୧୨ ମସିହା ପଞ୍ଚାୟତ ନିର୍ବାଚନରେ ଆଳଙ୍ଗପୁର ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ନିର୍ବାଚନରେ ହାରିଯିବା ପରେ ତାଙ୍କ ପ୍ରତିଶ୍ରୁତି କେହି ରଖିଲେନି । ଶେଷରେ ବାତ୍ୟା ପବନ ମାଡରେ ଘର କାନ୍ଥ ସବୁ ଫାଟିି ଆଁ କଲାଣି । ସେଥିରେ ସାପ ବେଙ୍ଗ ଆଶ୍ରୟ ନେଲେଣି । ତାହାରି ଭିତରେ ଜୀବନ କାଟୁଛନ୍ତି କୁନିଲତା ଓ ତାଙ୍କ ପରିବାର ।
ନିର୍ବାଚନ ପରେ ନିର୍ବାଚନ ଆସୁଛି ଯାଉଛି କିନ୍ତୁ କୁନିଲତା ପରିବାରକୁ ଆଜି ସୁଦ୍ଧା ଆବାସ ଘର ମିଳିଲାନି । ଏବେ ପୁଣି ପଞ୍ଚାୟତ ନିର୍ବାଚନ ଆସିଥିବାରୁ ପ୍ରାର୍ଥୀ ଆଉ ନେତା କୁନିଲତାଙ୍କ ଘର ପାଖକୁ ଭୋଟ ମାଗିବାକୁ ଆସୁଛନ୍ତି । ହେଲେ କୁନିଲତା ଆଉ ତାଙ୍କ ଶାଶୁ ଧୋବି ରୋକଠୋକ୍ ଶୁଣାଇ ଦେଉଛନ୍ତି , ଘର ନାହିଁ ତ ଭୋଟ ନାହିଁ । ଆମକୁ ଯିଏ ଘର ଦେବ , ଆମେ ସେ ପ୍ରାର୍ଥୀକୁ ଭୋଟ ଦେବୁ । ନଚେତ୍ ଭୋଟ ବର୍ଜନ କରିବୁ ସାରା ପରିବାର ବୋଲି କୋହ ଆଉ କ୍ରୋଧ ଭରା କଣ୍ଠରେ ପ୍ରକାଶ କରିଛନ୍ତି କୁନିଲତାର ଶାଶୁ ଧୋବି ଦେଇ । କିନ୍ତୁ ଯେଉଁ ସରପଞ୍ଚ ତାଙ୍କୁ ଘର ଖଣ୍ଡେ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଆଜିର ନିର୍ବାଚନରେ ସେ ପୁଣି ପ୍ରାର୍ଥୀ ହୋଇ ଭୋଟ ଭିକ୍ଷା କରୁଛନ୍ତି ।