କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ କିମ୍ବା ଉପଯୁକ୍ତ ଏଜେନ୍ସି ଦ୍ୱାରା ତଦନ୍ତ ଦାବି କରି ଦାୟର ସମସ୍ତ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ପୀଡିତାଙ୍କ ଭାଇଙ୍କ ମାମଲାରେ ସରକାର ଜବାବ ଦାଖଲ କରିଛନ୍ତି। ଏହି ମାମଲା ସହିତ ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ ଓ ଆଇନଜିବୀ ଗୌତମ ସିଦ୍ଦିକଙ୍କ ପକ୍ଷରୁ ଆଗତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ପୀଡ଼ିତା ଭାଇଙ୍କ ମାମଲାରେ ଜବାବ ଦାଖଲ ସରିଥିବା ବେଳେ ଅନ୍ୟ ଦୁଇ ମାମଲାରେ ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ, ପୀଡିତାଙ୍କ ମା’ଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତାଙ୍କ ପକ୍ଷରୁ ଦାୟର ଏହି ପୃଥକ ଆବେଦନରେ ମାମଲାର ତଦନ୍ତ ସିବିଆଇକୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପାଇଁ ପ୍ରାର୍ଥନା କରାଯାଇଛି। ଏଥିସହିତ, ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଦେବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ପୀଡିତାଙ୍କ ପରିବାରକୁ ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ପୀଡ଼ିତା ମା’ଙ୍କ ପକ୍ଷରୁ ଦାୟର ଆବେଦନରେ ପ୍ରାର୍ଥନା କରାଯାଇଛି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ପ୍ରଥମ ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ବରିଷ୍ଠ ଆଇନଜିବୀ ନରେନ୍ଦ୍ର ହୁଡା, ଶ୍ରୀ ସ୍ୱାଇଁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମତୀ ଛାତିଙ୍କ ପକ୍ଷରୁ ଆଇନଜୀବୀ ଶ୍ରୀଜୀ ଭବସାର ମାମଲା ପରିଚାଳନା କରୁଛନ୍ତି। ସୂଚନା ଯୋଗ୍ୟ,ଯେ କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡିତାଙ୍କ ଭାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହିତ କେତେକ କୁନ୍ଦୁଲି ଘଟଣାକୁ ନେଇ ଆଇନଜୀବୀ ଗୌତମ ସିଦ୍ଦିକି, ଭାରତୀୟ ବିକାଶ ପରିଷଦ, ଅଚ୍ୟୁତାନନ୍ଦ ସ୍ୱାଇଁ, ନାରାୟଣ ଚନ୍ଦ୍ର ଜେନା, ପୂର୍ବତନ ସାଂସଦ ଶ୍ରୀ ସ୍ୱାଇଁ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/kunduli-case-1.png)