ମହଙ୍ଗା ପଡ଼ିଲା ସୁପ୍ରିମକୋର୍ଟକୁ ନେଇ କଟାକ୍ଷ : ଷ୍ଟାଣ୍ଡ ଅପ୍ କମେଡ଼ିଆନ୍ କୁନାଲ କାମରା ବିରୋଧରେ ଅଦାଲତ ଅବମାନନା ମାମଲା

ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନକୁ ନେଇ ସର୍ବୋଚ୍ଚ କୋର୍ଟଙ୍କ ବିଚାରପତିଙ୍କୁ କରିଥିଲେ ସମାଲୋଚନା

2,368

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପର୍କରେ ବିବାଦୀୟ ଟ୍ୱିଟ୍ କରି ଅଡୁଆରେ ଷ୍ଟାଣ୍ଡ ଅପ୍ କମେଡ଼ିଆନ୍ କୁନାଲ କାମରା । କୁନାଲ କାମରାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପାଇଁ ସହମତି ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ ଅପ୍ ଇଣ୍ଡିଆ । ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ବାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ୍ ପାଇବା ପରେ ମାନ୍ୟବର କୋର୍ଟଙ୍କ ରାୟକୁ ନେଇ ତାଛଲ୍ୟ ଓ କଟାକ୍ଷ କରିଥିଲେ କୁନାଲ କାମରା ।

ସେ ଟ୍ୱିଟରେ ଲେଖିଥିଲେ- ଦେଶର ସୁପ୍ରିମକୋର୍ଟ ବର୍ତମାନ ସୁପ୍ରିମ୍ ଜୋକ୍ ପାଲଟି ଯାଇଛି । ସେହିପରି ସୁପ୍ରମିକୋର୍ଟର ସମ୍ମାନ ବହୁ ଦିନରୁ ଚାଲିଯାଇଛି ବୋଲି ଟ୍ୱିଟ୍ କରିଥିଲେ । ସେହିପରି ସୁପ୍ରିମକୋର୍ଟର ଏକ ଫଟୋ ଚିତ୍ର ସେୟାର କରିଥିଲେ କୁନାଲ କାମରା । ଯେଉଁଥିରେ ସୁପ୍ରିମକୋର୍ଟର ବିଲ୍ଡିଂ ରଙ୍ଗକୁ ଗେରୁଆ ରଙ୍ଗରେ ରଙ୍ଗିତ କରାଯାଇଥିଲା । ଏବଂ ସାମ୍ନାରେ ଜାତୀୟ ପତାକା ବଦଳରେ ଭାରତୀୟ ଜନତା ପାର୍ଟିର ପତକା ଲାଗାଯାଇଥିଲା । ଏହାକୁ ଗମ୍ଭୀରତାର ସହ ନେଇଛି ଆଟର୍ଣ୍ଣି ଜେନେରାଲ ଅପ୍ ଇଣ୍ଡିଆ । ଆଟର୍ଣ୍ଣି ଜେନେରାଲ ତାଙ୍କ ପ୍ରତିକ୍ରିୟାରେ ଲେଖିଛନ୍ତି- ଏହା ହାସ୍ୟରସର ସବୁ ସୀମା ଟପି ଯାଇଛି । ଏହା ହୁମର ନୁହେଁ ବରଂ ଅଦାଲତ ଅବମାନନା ।