କୁମ୍ଭମେଳା ପାଲଟିଲା ସୁପର ସ୍ପ୍ରେଡର । ହରିଦ୍ୱାରରେ ୫ ଦିନରେ ୧୭ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ।

222

କନକ ବ୍ୟୁରୋ: କରୋନା କାଳରେ ଚାଲିଛି କୁମ୍ଭମେଳା । ଏବେ ଏହି ମେଳାରୁ ହଜାରେରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ବି ଆସିଛି । ଏପରି ସମୟରେ କିପରି ଏତେ ବଡ ମେଳାକୁ ଦିଆଗଲା ଅନୁମତି ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ । ଏହାରି ଭିତରେ ବିଦେଶୀ ମିଡିଆ , ଏହି କୁମ୍ଭମେଳାକୁ ସୁପର ସ୍ପ୍ରେଡର ଆଖ୍ୟା ଦେଲେଣି । ଦ ଗାର୍ଡିୟାନରୁ ଆରମ୍ଭ କରି ନ୍ୟୁୟର୍କ ଟାଇମସ, ଅଲଜଜିରା , ସମସ୍ତେ କୁମ୍ଭମେଳାକୁ ରିପୋର୍ଟ କରିଛନ୍ତି ।

ହରିଦ୍ୱାର କୁମ୍ଭମେଳାର ଗଙ୍ଗା ଆଳତୀ ଦେଖିଲେ ଆପଣ କେବେ ବି ବିଶ୍ୱାସ କରିପାରିବେନି । କରୋନା କାଳରେ ଏତେ ବଡ ଭିଡ ପାଇଁ କେମିତି ମିଳିଲା ଅନୁମତି । ପ୍ରଶାସନର ନାକ ତଳେ କେମିତି ଚାଲିଛି ଏହି ରୀତିନୀତି । କେବଳ ସେତିକି ନୁହଁ ହରିଦ୍ୱାରର ବୁଡର ଦୃଶ୍ୟ ଦେଖିଲେ ବି ଆପଣ ଚକିତ ହୋଇଯିବେ । ଏଥର ସାହିସ୍ନାନରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ନା ପାଳନ ହୋଇଛି କୌଣସି କରୋନା ନିୟମ । କାହାର ମୁହଁରେ ନାହିଁ ମାସ୍କ । ଯାହାର ମୁହଁରେ ମାସ୍କ ରହିଛି, ସେ ଏହାକୁ ସଠିକ୍ ଭାବେ ବି ପିନ୍ଧି ନାହାନ୍ତି । ଏସବୁ ଭିତରେ ସାମାଜିକ ଦୂରତା କଥା ନକହିବା ଭଲ । ପ୍ରକୃତରେ ଧର୍ମ ଓ ଆସ୍ଥା ବଡ ନା ରୋଗ ବଡ । ଗୋଟିଏ ଧର୍ମର ଧାର୍ମିକ ଆସ୍ଥା ପ୍ରତି ଅନୁମତି ଏବେ ଉତରାଖଣ୍ଡରେ ଡାକି ଆଣିଲାଣି କରୋନା ବିପତି । ଯାହାକୁ ନେଇ ସ୍ୱର ଜୋର୍ କରିଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ ।

-ଦ ଗାଡିୟାନ ଗଙ୍ଗା ନଦୀର ଲୋକ ଭିଡକୁ ଭାରତରେ କରୋନା ଗାଇଡଲାଇନକୁ ଚ୍ୟାଲେଂଜ ବୋଲି କହିଛି

– ୧୩୦ କୋଟି ଜନସଂଖ୍ୟାର ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ଭାରତ କିପରି କରୋନାରେ ଉତ୍ସବ ପାଳୁଛି ଏହା ତାହାର ଚିତ୍ର ବୋଲି କହିଛି ନ୍ୟୁୟର୍କ ଟାଇମସ୍

-କୁମ୍ଭମେଳାର ଦୃଶ୍ୟକୁ ଅଲଜଜିରା ସୁପର ସ୍ପ୍ରେଡର ବୋଲି ଅଭିହିତ କରିବା ସହ କୁମ୍ଭମେଳାରୁ ହଜାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଉଲ୍ଲେଖ କରିଛି

-ଭାରତରେ କରୋନା ବଢୁଥିବା ବେଳେ କିପରି ଚାଲିଛି ଗଣଉତ୍ସବ, ସେନେଇ ଖବର କରିଛି ଆରବ ନ୍ୟୁଜ

-ଭାରତରେ କରୋନାର ଦ୍ୱିତୀୟ ଲହର ଆସିଥିବା ବେଳେ ସାମୁହିକ ଧାର୍ମିକ ଉତ୍ସବ ପାଳନ କିପରି ଚାଲିଛି , କୁମ୍ଭମେଳାର ଫଟୋକୁ ସ୍ଥାନ ଦେଇ ରିପୋର୍ଟ କରିଛି ସିଏନଏନ୍

-ସେହିପରି କୁମ୍ଭମେଳାର ଫଟୋକୁ ପୋଷ୍ଟ କରି ଟାଇମ୍ସ ଉଲ୍ଲେଖ କରିଛି ଭାରତରେ ଏହା ନିଶ୍ଚିନ୍ତ ଦୁର୍ଭାଗ୍ୟଜନକ

୧୨ ବର୍ଷ ପରେ ଆସିଛି କୁମ୍ଭମେଳା । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି କୁମ୍ଭମେଳାରେ ଗଙ୍ଗାନଦୀରେ ବୁଡ ପକାଇଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ । ତେବେ ପ୍ରଶ୍ନ ଉଠୁଛି କରୋନାର ସଂକ୍ରମଣ ଦେଶରେ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଉତରାଖଣ୍ଡ ସରକାର କିପରି ଗୋଟିଏ ସ୍ଥାନରେ ଲକ୍ଷାଧିକ ଲୋକ ଭିଡକୁ ଅନୁମତି ଦେଇଛନ୍ତି । ଲୋକଙ୍କ ମନରେ ଭୟ ରହିଛି । ତଥାପି କୁମ୍ଭମେଳାରେ ସାମିଲ ହୋଇଛନ୍ତି । ଜାତୀୟ ଅନ୍ତର୍ଜାତୀୟ ଗଣମାଧ୍ୟମ ଗୁଡିକରେ ଭାରତର କୁମ୍ଭମେଳାକୁ ରିପୋର୍ଟ ପ୍ରକାଶ ସହିତ ଚିନ୍ତା ପ୍ରକଟ କରାଯାଇଛି । କିନ୍ତୁ ଭାରତରେ ଏହାକୁ ନେଇ କୌଣସି ଚିନ୍ତା ଥିବା ପରି ମନେ ହେଉନାହିଁ । ଦେଶରେ କରୋନା ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିସାରିଲାଣି । ଏପରି ସମୟରେ କୁମ୍ଭମେଳାକୁ ବନ୍ଦ କରିବା ନେଇ କୌଣସି ନିଷ୍ପତି ନେଉନାହାନ୍ତି ଉତରାଖଣ୍ଡ ସରକାର ।