କୁମ୍ଭ ମେଳାରେ ସାଧୁ ମାନିଲେ ମୋଦୀଙ୍କ କଥା । ଫୋନ୍ କଲ୍ ପରେ ଚଳିତ ବର୍ଷ କୁମ୍ଭମେଳା ଶେଷ ନେଇ ଘୋଷଣା କଲା ଜୁନା ଆଖଡା ।

278

କନକ ବ୍ୟୁରୋ: ଦେଶରେ ବଢୁଥିବା କରୋନା ସଂକ୍ରମଣ, ଦ୍ୱିତୀୟ ଲହରର ପ୍ରଭାବ ଏବଂ କୁମ୍ଭମେଳାରେ ସାଧୁଙ୍କୁ ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ପ୍ରତୀକାତ୍ମକ କରିବା ପାଇଁ ଅନୁରୋଧ କରିବା ପରେ , ଜୁନା ଆଖଡା ପକ୍ଷରୁ କୁମ୍ଭମେଳାକୁ ସମାପନ କରାଯିବା ନେଇ ଘୋଷଣା କରାଯାଇଛି । ଜୁନା ଆଖଡା ଏନେଇ ଏକ ପତ୍ର ଜାରି କରିଛି ।

ଅନ୍ୟ ସାଧୁ ଓ ଶ୍ରଦ୍ଧାଳୁଙ୍କୁ ତୁରନ୍ତ କୁମ୍ଭମେଳା ସ୍ଥଳରୁ ଫେରି ଯିବାକୁ ଜୁନା ଆଖଡା ପକ୍ଷରୁ ନିବେଦନ କରାଯାଇଛି । ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା ସ୍ଥଳରୁ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଠାବ ହେବା ପରେ ଏହାକୁ ନେଇ ଦେଶରେ ବଢିଥିଲା ଚିନ୍ତା । ଜୁନା ଆଖଡା ମୁଖ୍ୟଙ୍କ ସହ ଫୋନରେ ମୋଦି କଥା ହେବା ପରେ ଏପରି ନିଷ୍ପତି ନେଇଛି ଜୁନା ଆଖଡା । ଆଗକୁ କୁମ୍ଭ ମେଳାକୁ କେବଳ ପ୍ରତିକାତ୍ମକ ଆକାରରେ ରଖିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫଳରେ କରୋନା ସଂକ୍ରମଣ ବିରୋଧୀ ଲଢେଇକୁ ବଳ ମିଳିବ ବୋଲି କହିଛନ୍ତି ମୋଦି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନକୁ ସେ ସ୍ୱାଗତ କରିଛନ୍ତି ଜୁନା ଆଖଡାର ସାଧୁ । ଜୀବନ ରକ୍ଷା କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ଜୁନା ଆଖଡା ପକ୍ଷରୁ କୁହାଯାଇଛି । ତେବେ ୧୩ଟି ଆଖଡାରୁ କେବଳ ଜୁନା ଆଖଡା ହିଁ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସ୍ୱାଗତ କରିଥିବା ବେଳେ ଅନ୍ୟ ଆଖଡା ଗୁଡିକ ଏନେଇ କୌଣସି ନିଷ୍ପତି ଗ୍ରହଣ କରିନାହାନ୍ତି । ଉତରାଖଣ୍ଡ ସରକାର ଏହି କୁମ୍ଭମେଳା ଉପରେ କଟକଣା ନେଉନଥିବାରୁ ଏହା ହିଁ ପାଲଟିଛି ଚିନ୍ତାର କାରଣ ।