ଗଙ୍ଗା, ଜମୁନା, ସରସ୍ୱତୀର ତ୍ରିବେଣୀ ସଙ୍ଗମରେ ଭକ୍ତିର ବୁଡ ! ସାହି ସ୍ନାନ ସହ ଆରମ୍ଭ ହେଲା କୁମ୍ଭମେଳା, ପ୍ରଥମ ଥର ଲାଗି କିନ୍ନର ଆଖଡାର ଏଂଟ୍ରି ।

119

କନକ ବ୍ୟୁରୋ : ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି କୁମ୍ଭମେଳା । ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ବିଶ୍ୱାସ ରହିଛି ଏହି ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଆଜି ମେଳାରେ ହଜାର ହଜାର ସଂଖ୍ୟାରେ ନାଗା ସାଧୁ ଏକାଠି ଶାହୀସ୍ନାନ କରିଛନ୍ତି । ପ୍ରଥମ ଥର ପାଇଁ ପ୍ରୟାଗରାଜ କୁମ୍ଭମେଳାରେ ସାମିଲ ହୋଇଛି କିନ୍ନର ଆଖଡା ।

ପ୍ରୟାଗରାଜରେ କୁମ୍ଭମେଳାର ସୁନ୍ଦର ଦୃଶ୍ୟ । ହେଲିକପ୍ଟର ସହାୟତାରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଉପରେ ହେଉଛି ପୁଷ୍ପ ବୃଷ୍ଟି । ସାହି ସ୍ନାନ କରିବାକୁ ଯାଉଥିବା ଆଖଡାମାନଙ୍କ ଉପରେ ହେଉଛି ପୁଷ୍ପ ବର୍ଷା । ଆଜି ସକାଳୁ ସକାଳୁ ପ୍ରଥମ ସାହି ସ୍ନାନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସାହି ସ୍ନାନ ପାଇଁ ତ୍ରିବେଣୀ ସଂଗମରେ ଜମିଥିଲା ପ୍ରବଳ ଭିଡ । ଲକ୍ଷାଧିକ ସାଧୁସନ୍ଥଙ୍କର ସମାଗମ । କୁମ୍ଭମେଳାର ସବୁଠାରୁ ବଡ ଆକର୍ଷଣ ସାହି ସ୍ନାନ ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ସାରା ଚାଲିଥଲା ।  ।

ବିଶ୍ୱାସ ରହିଛି ଗଙ୍ଗା, ଯମୁନା ଓ ସରସ୍ୱତୀର ସଂଗମ ସ୍ଥଳ ପ୍ରୟାଗରାଜରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତିି ହୋଇଥାଏ । ତେଣୁ ଏଠାରେ ବୁଡ ପକାଇବା ପାଇଁ ଭିଡ ଜମିଥିଲା ଶ୍ରଦ୍ଧାଳୁଙ୍କର । ଆଉ ସରକାରଙ୍କ ପକ୍ଷରୁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ୧୨ କୋଟିରୁ ଅଧିକ ଭକ୍ତ ଆସିବାର ସମ୍ଭାବନା ଥିବାରୁ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

କୁମ୍ଭମେଳାର ପ୍ରମୁଖ ଆକର୍ଷଣ ହେଉଛି ନାଗା ସାଧୁଙ୍କ ସାହି ସ୍ନାନ । ନାଗା ସାଧୁ ଓ ଶୈବ ପରମ୍ପରା ମଧ୍ୟରେ ରହିଛି ଅନନ୍ୟ ସମ୍ପର୍କ । ଆଜି ସାହି ସ୍ନାନରେ ସାମିଲ ହୋଇଛନ୍ତି ନାଗା ସାଧୁଙ୍କ ବିଭିନ୍ନ ଆଖଡା । ତ୍ରିଶୂଳ, ଡମ୍ବୁରୁ, ରୁଦ୍ରାକ୍ଷ, ଶଙ୍ଖ, କୁଣ୍ଡଳ, କମଣ୍ଡଳ, କୌପିନ, ଚିଲମ, ବିଭୂତି ଧାରଣ କରିଛନ୍ତି ଏହି ନାଗା ସାଧୁ ।

ନାଗା ସାଧୁମାନେ ମୁଖ୍ୟତଃ ଗୁରୁସେବା, ତପସ୍ୟା, ଆଶ୍ରମ କାମ ଓ ଯୋଗ କ୍ରିୟା କରିଥାନ୍ତି । ନାଗା ସାଧୁଙ୍କୁ ପ୍ରଥମେ ବ୍ରହ୍ମଚାରୀ ହେବାକୁ ଶିକ୍ଷା ଦିଆଯାଇଥାଏ । ଏଥିରେ ଉତୀର୍ଣ୍ଣ ହେବାପରେ ମହାପୁରୁଷ ଦୀକ୍ଷା ଦିଆଯାଇଥାଏ । ଶେଷ ପରୀକ୍ଷା ଦିଗମ୍ବର ଓ ଶ୍ରୀଦିଗମ୍ବରର ହୋଇଥାଏ ।

ପ୍ରଥମ ଥର ପାଇଁ ପ୍ରୟାଗରାଜ କୁମ୍ଭମେଳାରେ ସାମିଲ ହୋଇଛି କିନ୍ନର ଆଖଡା । ସାହି ସ୍ନାନରେ ସାମିଲ ହୋଇଛନ୍ତି ହଜାର ହଜାର କିନ୍ନର  । ଏଥିପାଇଁ କିନ୍ନର ଆଖଡା ପକ୍ଷରୁ ସ୍ୱତନ୍ତ୍ର ରଥ ବାହାର କରାଯାଇଛି । ଅଖିଳ ଭାରତୀୟ ଆଖଡା ପରିଷଦର ବିରୋଧ ପରେ ବି ପ୍ରଥମ ଥର ପାଇଁ ପ୍ରୟାଗରାଜ କୁମ୍ଭମେଳାରେ ଲାଗିଛି କିନ୍ନର ଆଖଡା । ପ୍ରତି ୧୨ବର୍ଷରେ ଥରେ ପଡୁଥିବା ଏହି ମହାକୁମ୍ଭ ମେଳାରେ ସାମିଲ ହୋଇ ମୋକ୍ଷ ପ୍ରାପ୍ତି ପାଇଁ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ଆଉ ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି । ତେଣୁ କୋଣ ଅନୁକୋଣରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟିଛି ।