ବିଜେପିକୁ ରୋକିବାକୁ କଂଗ୍ରେସର ପ୍ଲାନ-ବି ! ଜାଣନ୍ତୁ କିଏ ହେବ କର୍ଣ୍ଣାଟକ କିଙ୍ଗ୍

77

କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ । କର୍ଣ୍ଣାଟକ ବିଧାନସଭା ଫଳାଫଳ ଗଣତି ଚାଲିଥିବା ବେଳେ ବିଜେପି ୧୦୬ଟି ଆସନରେ ଆଗୁଆ ରହିବା ସହ ବଡ଼ ଦଳ ଭାବେ ଉଭା ହୋଇଛି । କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ଏବେ ଏକ ରୋଚକ ମୋଡରେ ପହଞ୍ଚିଛି । କର୍ଣ୍ଣାଟକ ଶାସନ ଡୋରି ବିଜେପି ହାତକୁ ନ ଦେବା ପାଇଁ କଂଗ୍ରେସ ଖେଳିଛି ନୂଆ ଚାଲ । ବିଜେପିକୁ ରୋକିବାକୁ କଂଗ୍ରେସ ପ୍ଲାନ-ବି ଆପଣାଇଛି । କଂଗ୍ରେସର ନୂଆ ରଣକୌଶଳ ଅନୁଯାୟୀ, ଜେଡ଼ିଏସକୁ ସରକାର ଗଠନରେ ବାହାରୁ ସମର୍ଥନ ଦେବାକୁ ଘୋଷଣା କରିଛି କଂଗ୍ରେସ । ଏନେଇ ଜେଡ଼ିଏସ ନେତା ଦେବଗୌଡ଼ା ଓ କୁମାରସ୍ୱାମୀଙ୍କ ସହ ଆଲୋଚନା କରିଛି କଂଗ୍ରେସ । ଏପରିକି ବିଜେପିକୁ ରୋକିବାକୁ ଜେଡ଼ିଏସ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଅଫର କରିଛି କଂଗ୍ରେସ । ଆଉ ଏହି ଅଫରକୁ ମାନି ନେଇଛି ଜେଡ଼ିଏସ । ଫଳାଫଳ ଆସିବା ପୂର୍ବରୁ ଜେଡ଼ିଏସକୁ କିଙ୍ଗମେକର କୁହାଯାଉଥିବା ବେଳେ ଏବେ କିଙ୍ଗ ଭୂମିକାରେ ଆସିବାକୁ ପ୍ରସ୍ତୁତ ହେଉଛନ୍ତି ଜେଡ଼ିଏସ ନେତା । କଂଗ୍ରେସର ଏହି ଘୋଷଣା ପରେ ଏବେ କର୍ଣ୍ଣାଟକ ରାଜନୀତିକୁ ନେଇ ସସପେନ୍ସ ବଢ଼ିବା ଆରମ୍ଭ ହୋଇଛି ।

ପୂର୍ବରୁ ବିଜେପି ମଧ୍ୟ ଗୋଆରେ ସମାନ ଫର୍ମୁଲା ଆପଣାଇଥିଲା । ୨୦୧୭ରେ ହୋଇଥିବା ୪୦ ସିଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୭ଟି ଆସନ ସହ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ବିଜେପି ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା । ବିଜେପି ମାତ୍ର ୧୩ଟି ସିଟ ପାଇଥିଲେ ମଧ୍ୟ କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଆଞ୍ଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ସରକାର ଗଠନ କରିଥିଲା । ସେତେବେଳେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏବେ କର୍ଣ୍ଣାଟକରେ ନିଜ ଫର୍ମୁଲାରେ ନିଜେ ଫସିଛି ଗେରୁଆ ଦଳ । ପୂରା ଦେଶରେ ଗେରୁଆ ବାନା ଉଡ଼ାଇବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଥିଲା ସେଥିରେ ବ୍ରେକ ଲଗାଇଛି କଂଗ୍ରେସ । ବିଜେପିର ମେଣ୍ଟ ରାଜନୀତିକୁ ବ୍ୟାକଫୁଟକୁ ଠେଲି ଦେଇଛି କଂଗ୍ରେସ । ନିଜ ଗଡ଼ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ଅଛି କଂଗ୍ରେସ ।

କଣ ରହିଛି କର୍ଣ୍ଣାଟକ ଗଣିତ:
କର୍ଣ୍ଣାଟକରେ ମୋଟ ୨୨୪ଟି ବିଧାନସଭା ଆସନ ରହିଛି । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୩ । ଅର୍ଥାତ ଯେଉଁ ଦଳ ୧୧୩ଟି ଆସନରେ ବିଜୟୀ ହେବ ସେହି ଦଳ ସରକାର ଗଢ଼ିପାରିବ । କିନ୍ତୁ ବର୍ତ୍ତମାନ ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ କର୍ଣ୍ଣାଟକରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ବିଜେପି ୧୦୬ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଓ ଜେଡ଼ିଏସ ଯଥାକ୍ରମେ ୭୬ ଓ ୩୮ ସିଟରେ ଆଗୁଆ ରହିଛନ୍ତି । ୨ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଭୋଟ ଗଣତିରେ ଆଗୁଆ ରହିଛନ୍ତି । ଯଦି ଏହି ଟ୍ରେଣ୍ଡ ଶେଷ ପର୍ଯ୍ୟନ୍ତ ରୁହେ ତେବେ ବିଜେପି ଏକାକୀ ସରକାର ଗଢ଼ିବାକୁ ସକ୍ଷମ ହେବ ନାହିଁ । ଏଭଳି ସ୍ଥଳେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ମଧ୍ୟ ମ୍ୟାଜିକ ନମ୍ବର ହାସଲ କରିପାରୁନାହିଁ ବିଜେପି ।

କିନ୍ତୁ କଂଗ୍ରେସ ଓ ଜେଡ଼ିଏସର ଆସନ ସଂଖ୍ୟା ମିଶାଇଲେ ଏହା ମ୍ୟାଜିକ ନମ୍ବରରୁ ଅଧିକ ରହୁଛି । କାରଣ କଂଗ୍ରେସର ୭୬ଟି ଆସନ ଓ ଜେଡ଼ିଏସର ୩୮ଟି ଆସନକୁ ମିଶାଇଲେ ମ୍ୟାଜିକ ନମ୍ବରର ୧୧୩ ପାର କରୁଛି । ତେଣୁ ଏଭଳି ଭାବେ କଂଗ୍ରେସ ଓ ଜେଡ଼ିଏସ ମିଳିତ ଭାବେ ସରକାର ଗଠନ କରିବାକୁ ସକ୍ଷମ ହେବେ । ଏପରିକି ସିଦ୍ଧରମୈୟା ଆଜି ସନ୍ଧ୍ୟା ୫ଟାରେ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ସେହିଭଳି କଂଗ୍ରେସ ସମର୍ଥନରେ ସରକାର ଗଢ଼ିବା ପାଇଁ ଜେଡ଼ିଏସ ସନ୍ଧ୍ୟା ୫.୩୦ରେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ ବୋଲି ଜଣାପଡ଼ିଛି । କଂଗ୍ରେସର ଏହି ରଣନୀତି ବିଜେପି ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ବିଜୟ ରଥକୁ ରୋକିବାରେ ସଫଳ ହୋଇଛି କଂଗ୍ରେସ ।