କନକ ବ୍ୟୁରୋ: ପଲ୍ଲୀର ଝିଅ ଦିଲ୍ଲୀରେ ପାଇଲେ ପୁରସ୍କାର । ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ପରିସ୍ଥିତି । ମନରେ ଇଛା ଆଗ୍ରହ ତାଙ୍କୁ ସଫଳତାର ଠିକଣା ସ୍ଥାନରେ ପହଂଚାଇଛି । ଏମିତି କିଛି କରି ଦେଖାଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଗୁବୁରିଗୁଡ଼ା ବଟସାହି ଗାଁର କୁମାରୀ ରଇତ । ବିଭିନ୍ନ ପ୍ରକାର କାର୍ପେଟ୍ ତିଆରି କରି ଏବେ ସେ ଚର୍ଚ୍ଚାରେ ଅଛନ୍ତି । ଜଣେ ଗରିବ ଆଦିବାସୀ ଝିଅ ଅଳ୍ପ ପାଠ ପଢ଼ିଥିଲେ ମଧ୍ୟ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଗାଁକୁ ଭଲ ରାସ୍ତା ନଥିବା ବେଳେ ଏଠାରେ ବିଜୁଳି ଆଲୁଅ ସାତସପନ । ଏହି ଗାଁରେ ରହୁଛନ୍ତି ୨୦ରୁ ଅଧିକ ଆଦିବାସୀ ପରିବାର ।
ଗାଁର ଦୁଃଖା ରଇତ କୁଲି ମଜୁରୀ କରି ନିଜ ପରିବାର ସହ ରୁହନ୍ତି । ପରିବାର କହିଲେ, ୩ ପୁଅ ଓ ୨ ଝିଅ । ତାଙ୍କ ଝିଅ କୁମାରୀ ରଇତ କାର୍ପେଟ ତିଆରିରେ ଆନ୍ତର୍ଜାତିକ ହସ୍ତତନ୍ତ୍ର ଶିଳ୍ପ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ପାଇବା ସହ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମଧ୍ୟ ପାଇଛନ୍ତି । ଆର୍ଥିକ ସ୍ଥିତି ପାଠପଢ଼ା ଛାଡ଼ି ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ପକ୍ଷରୁ କାର୍ପେଟ କାମ ତାଲିମ୍ ନେଇଥିଲେ । ଏହା ପରେ ସରକାରୀ ପ୍ରୋତ୍ସାହରେ ଗାଁର କାର୍ପେଟ ତିଆରି କେନ୍ଦ୍ର ଖୋଲିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମ ଦିଲ୍ଲୀରେ ଆୟୋଜିତ ହସ୍ତତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗୌରବ ଆଣିଛନ୍ତି କୁମାରୀ ରଇତ ।