କନକ ବ୍ୟୁରୋ: ଦଶହରା କାହା ପାଇଁ କେମିତି । ମାଆଙ୍କ ଆଗମନରେ କିଏ ମାଗୁଛି କଣ । ମଣ୍ଡପରେ ବିରାଜିତ ମହାମାୟାଙ୍କ ଦର୍ଶନ କରି କିଏ ଆଶୀର୍ବାଦ ଭିକ୍ଷା କରୁଛନ୍ତି ତ ଆଉ କିଏ ଜୀବନ ଜଞ୍ଜାଳରୁ ମୁକ୍ତି ପାଇଁ ମାଆଙ୍କୁ ପ୍ରାର୍ଥନା କରିଛନ୍ତି । ଏସବୁ ଭିତରେ ପୂଜା ବୁଲା ବେଳେ ଲୋକଙ୍କୁ ଆକୃଷ୍ଟ କରୁଛି ପୂଜା କମିଟି ପକ୍ଷରୁ କରାଯାଇଥିବା ବିଭିନ୍ନ ଥିମ୍ ଥିବା ତୋରଣ ।
ଦେବୀ ମା’ଙ୍କ ପାଖରେ ବୁଢ଼ି ମା’ଟିଏ । ବୟସ ୯୦ ଟପିଯାଇଛି । ଆଖିକୁ ଭଲରେ ଦେଖାଯାଉଛି ନା’ କାନକୁ ଠିକରେ ଶୁଣାଯାଉଛି । ଥର-ଥର ପାଦରେ ମାଙ୍କ ଦର୍ଶନ ପାଇଁ ଭୁବନେଶ୍ୱର ରସୁଲଗଡ଼ ମଣ୍ଡପରେ ପହଞ୍ଚିଛନ୍ତି । ଇଏ ଭକ୍ତିର ଭାବ ଓ ଶ୍ରଦ୍ଧାର ଶକ୍ତି ନୁହେଁ ତ’ ଆଉ କ’ଣ? ବୟସର ଅପରାହ୍ନରେ ମା’ ପାଖକୁ ଆସିଛନ୍ତି, ଜୀବନ ଜଞ୍ଜାଳରୁ ମୁକ୍ତିର ପ୍ରାର୍ଥନା କରିବା ପାଇଁ ।
ପାର୍ବଣର ପୂଜା ମଣ୍ଡପରେ ବାହାନଗାର କରୁଣ କାହାଣୀ । ଦୁର୍ଘଟଣାକୁ ୪ ମାସ ପୁରିଛି ସତ, କିନ୍ତୁ ଏବେବି ମନରୁ ଲିଭିନି ସେଦିନର ଦୃଶ୍ୟ । ମୃତ ଯାତ୍ରୀଙ୍କ ଆତ୍ମାର ସଦଗତି କାମନା କରି ଏଭଳି ଏକ ଉଦ୍ୟମ କରିଛନ୍ତି ପଥରଗାଡ଼ିଆର କଳିଙ୍ଗ ଦୂର୍ଗା ପୂଜା କମିଟି । କେବଳ ଗୋଟିଏ ପ୍ରାର୍ଥନା- ମା’ ଏଭଳି ଦିନ ଆଉ ନଦେଖାନ୍ତୁ ।
ଦେବୀ ରୂପରେ ସଜେଇ ହୋଇଛନ୍ତି କୁନି କୁନି ଝିଅ । ମୁଣ୍ଡରେ ଓଢଣୀ, କପାଳରେ କୁକୁମ ଓ ପାଦରେ ଅଳତା । ନବମୀ ତିଥିରେ ଦେବୀଙ୍କ ପାଖରେ କୁମାରୀମାନଙ୍କୁ ପୂଜା କରିବାର ପରମ୍ପରା ରହିଛି । ଏହି ପରମ୍ପରାକୁ ଆଧାର କରି ପୁରୀ, ବଲାଙ୍ଗୀର ଓ କଟକ ସମେତ ବିଭିନ୍ନ ମଣ୍ଡପରେ ପୂଜା ପାଇଛନ୍ତି କୁମାରୀ । ପୁରୀ ଦୋଳ ମଣ୍ଡପ ସାହିରେ ପୂଜା ପାଉଛନ୍ତି ମାଆ ଜହ୍ନିଖାଇ ଠାକୁରାଣୀ । ଶ୍ରୀମନ୍ଦିରରେ ବିମଳାଙ୍କ ରୀତିନୀତି ସହ ମାଆ ଜହ୍ନିଖାଇଙ୍କ ମନ୍ଦିର ନୀତି ଜଡିତ । ବହୁ ପୁରୁଣା କାଳରୁ ମାଆ ଏଠାରେ ପୂଜା ପାଇ ଆସୁଛନ୍ତି । ମାଆଙ୍କ ନିକଟରେ ରହିଛି ଶ୍ରଦ୍ଧାଳୁଙ୍କ ଅଗାଧ ବିଶ୍ୱାସ । ଯାହାର ଆଧାରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ ।
ଦେବୀ ଦୁର୍ଗାଙ୍କୁ ଲାଗିହେଲା ଦହି ପଖାଳ । ଏହାସହ ଶାଗ ମୁଗ ମଧ୍ୟ ଭୋଗ କରାଯାଇଛି । ଭୁବନେଶ୍ୱର ଡ଼ିଷ୍ଟ୍ରିଟ ସେଂଟର ଦୁର୍ଗା ପୂଜା କମିଟିରେ ହୋଇଛି ଏଭଳି ଆୟୋଜନ । ମହାନବମୀ ପୂଜାରେ ଦେବୀଙ୍କୁ ଭୋଗ ଲାଗି ହେବା ପରେ ଭକ୍ତଙ୍କୁ ଭୋଗ ଦିଆଯାଇଛି । ଯେମିତି ଭକ୍ତି, ସେମିତି ପୂଜା । ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ଢଙ୍ଗରେ ପୂଜାର୍ଚ୍ଚନା ଓ ସାଜସଜ୍ଜା କରାଯାଇଛି ।