କୋର୍ଟରେ ଝୁଲି ରହିଲା କର୍ଣ୍ଣାଟକ ନାଟକ । ବାଚସ୍ପତିଙ୍କୁ ସମୟ ଦେଲେ ସୁପ୍ରିମକୋର୍ଟ, ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି ।

176

କନକ ବ୍ୟୁରୋ : ରୋଚକ ମୋଡରେ କର୍ଣ୍ଣାଟକ ରାଜନୀତି । ଗୋଟିଏ ପଟେ ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେବା ଜିଦରେ ଅଟଳ ଥିବାବେଳେ ଅନ୍ୟପଟେ ଆଜି ଆସ୍ଥା ଭୋଟ୍ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ସେପଟେ ସୁପ୍ରିମକୋର୍ଟ ମଧ୍ୟ ଉଭୟ ବିଦ୍ରୋହୀ ବିଧାୟକ ଓ ବାଚସ୍ପତିଙ୍କ ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଏବେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକ ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି । ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଜିଦରେ ଅଟଳ ଥିବାବେଳେ ଆସ୍ଥା ଭୋଟ୍ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଏଥିପାଇଁ ବାଚସ୍ପତିଙ୍କୁ ସମୟ ମାଗିଛନ୍ତି । ସେ କହିଛନ୍ତି ଦୁଇ ତିନି ଦିନ ଭିତରେ ଯାହା ଘଟିଯାଇଛି ସେଥିପାଇଁ ରାଜ୍ୟ ସଂକଟଜନକ ପରିସ୍ଥିତିରେ ଫସିଯାଇଛି । ତେବେ ସେ କ୍ଷମତାରେ ବସିବା ପାଇଁ ଆସିନାହାଁନ୍ତି । ତେଣୁ ଆସ୍ଥାଭୋଟ୍ ଲୋଡିଛନ୍ତି । ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛନ୍ତି ଉଭୟ କଂଗ୍ରେସ ଓ ଜେଡିଏସ । ତେଣୁ କୁମାରସ୍ୱାମୀ ଆସ୍ଥା ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ଅନ୍ୟପଟେ ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ବିଧାୟକଙ୍କୁ ହ୍ୱିପ୍ ଜାରି କରିଛି ବିଜେପି ।

କୋର୍ଟରେ ଝୁଲି ରହିଲା କର୍ଣ୍ଣାଟକ ନାଟକ । ବାଚସ୍ପତିଙ୍କୁ ସମୟ ଦେଲେ ସୁପ୍ରିମକୋର୍ଟ । ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି । କର୍ଣ୍ଣାଟକର ବିଦ୍ରୋହୀ ବିଧାୟକ ଓ ବାଚସ୍ପତିଙ୍କ ଆବେଦନର ଶୁଣାଣି କରି ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ନିଷ୍ପତି ଝୁଲାଇ ରଖିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ବାଚସ୍ପତିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଏବଂ ମାମଲାର ପରବର୍ତି ଶୁଣାଣି ପରେ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ଅନୁସାରେ ମଙ୍ଗଳବାର ପର୍ଯ୍ୟନ୍ତ ବାଚସ୍ପତି ବିଧାୟକଙ୍କ ମାନଙ୍କ ଇସ୍ତଫା ଗ୍ରହଣ କରିପାରିବେନି କିମ୍ବା ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେନି । ଉଭୟ ପକ୍ଷର ଆଇନଜୀବିଙ୍କ ଜବାବସୁଆଲ ଶୁଣିବା ପରେ ବାଚସ୍ପତିଙ୍କ ଅନୁରୋଧ ଅନୁଯାୟୀ ସମୟ ଦେବା ସହ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ । କର୍ଣ୍ଣାଟକରେ ୩ଜଣ ଜେଡିଏସ ଓ ୮ଜଣ କଂଗ୍ରେସ ନେତା ବିଧାୟକ ପଦରୁ ଇସ୍ତଫା ଦେବା ପରେ ଜାରି ରହିଛି ରାଜନୈତିକ ସଂକଟ । ଟଳମଳ ସ୍ଥିତିରେ ରହିଛି କୁମାରସ୍ୱାମୀଙ୍କ ସରକାର ।