କନକ ବ୍ୟୁରୋ : ପୂର୍ବତନ ଆମ୍ ଆଦମୀ ପାର୍ଟିର ନେତା ତଥା ଦେଶର ଜଣାଶୁଣା କବି କୁମାର ବିଶ୍ୱାସଙ୍କୁ କେନ୍ଦ୍ର ସରକାର ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଗୋଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ ଏମଏଚ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । କୁମାର ବିଶ୍ୱାସ କିଛିଦିନ ତଳେ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କିଛି ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Advertisment

କହିରଖୁ କି କିଛିଦିନ ତଳେ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ଦାବି କରିଥିଲେ କି ଅରବିନ୍ଦ କେଜ୍ରିୱାଲ ତାଙ୍କୁ କହିଥିଲେ ଏମିତି ଗୋଟିଏ ଦିନ ଆସିବ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ନଚେତ ସ୍ୱତନ୍ତ୍ର ଖଲିସ୍ତାନୀ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହେବେ । ବିଶ୍ୱାସ ଏଭଳି ବୟାନ ଦେବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି କେନ୍ଦ୍ର ଗୃହମନ୍ତ୍ରଣାଳୟ ତାଙ୍କ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି ।

ସୂଚନା ଥାଉକି କବି କୁମାର ବିଶ୍ୱାସ ଗଣମାଧ୍ୟମ ଆଗରେ ଏଭଳି ବୟାନ ଦେବା ପରେ ଦେଶ ରାଜନୀତିରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି କୁମାର ବିଶ୍ୱାସଙ୍କ ଦାବି ଉପରେ ଯାଂଚ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହାର ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି କି, ଗୋଟିଏ ରାଜନୈତିକ ଦଳ ଦେଶ ବିରୋଧୀ ସଂଗଠନ ସହ ସଂପର୍କ ରଖିବା ଓ ନିର୍ବାଚନରେ ସେମାନଙ୍କ ସହଯୋଗ ପାଇବା ଦେଶର ଅଖଣ୍ଡତା ପ୍ରତି ବିପଦ ।