କୁମାର ପୂର୍ଣ୍ଣିମାରେ ପଡ଼ୁଛି ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ନିଷେଧ । ସେପଟେ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ
କନକ ବ୍ୟୁରୋ : କୁମାର ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ । ଆଜି କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଆଜି ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ଛାଡ଼ିବ । ଅର୍ଥାତ୍ ଗ୍ରହଣ ସ୍ପର୍ଶର ଅବଧି ୧ ଘଂଟା ୧୯ ମିନିଟ୍ ୭ ସେକେଣ୍ଡ । ଗ୍ରହଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । କୁମାର ପୂର୍ଣ୍ଣମୀରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ଶେଷ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯିବ । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ବିଜେ ହୋଇ ଚଉଦୋଳରେ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମକୁ ବିଜେ କରିବା ପରେ ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି କରାଯିବ । ବଡସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହେବ । ଶ୍ରୀମନ୍ଦିରର ପରମ୍ପରାରେ ଏହା ଦ୍ୟୁତକ୍ରୀଡା ଉତ୍ସବ ନାମରେ ଅଭିହିତ । ସର୍ତ ଅନୁଯାୟୀ ଏହି ଦ୍ୟୂତି କ୍ରୀଡାରେ ମା ମହାଲକ୍ଷ୍ମୀଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁ ହାରିଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । ଅଷ୍ଟମୀ ଦିନ ଅବକାଶ ପୂଜା ସମୟରର ପୁନଃ ମାଧବ ସିଂହାସନରେ ବିଜେ କରିବେ । ମହାପ୍ରଭୁଙ୍କ ତରଫରୁ ପ୍ରତିନିଧ ମୁଦିରସ୍ତ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭିତରଚ୍ଛ ମହାପାତ୍ର ୨୧ଟି ହିଙ୍ଗୁଳ କଉଡ଼ି , ୨୧ଟି ରୂପା କଉଡି, ପଶା ଶକଟା ଖେଳମାନ ଖେଳିଥାନ୍ତି ।