କୁଳଭୂଷଣ ଯାଦବ ମୃତ୍ୟୁ ଦଣ୍ଡ ମାମଲା । ପୁନଃ ବିଚାର ପାଇଁ ପାକିସ୍ତାନ ସରକାରଙ୍କ ଅନୁମତି । ଆଇସିଜେର ନିର୍ଦ୍ଦେଶ ପରେ ଫେରିବା ଆଶା ଉଜ୍ଜୀବିତ

122

କନକ ବ୍ୟୁରୋ : କୁଳଭୂଷଣ ଯାଦବଙ୍କୁ ଆସ୍ୱସ୍ଥି । ପାକିସ୍ତାନ ଜେଲରେ ବନ୍ଦିଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଆସ୍ୱସ୍ଥି ମିଳିଛି । ତାଙ୍କ ଉପରେ ପାକିସ୍ତାନ କୋର୍ଟରେ ଚାଲିଥିବା ମାମଲା ଉପରେ ପୁନଃବିଚାର ହେବ ବୋଲି ସୂଚନା ମିଳିଛି । ପାକିସ୍ତାନ ସଂସଦୀୟ ପ୍ୟାନେଲରେ ଯାଦବଙ୍କ ମାମଲାର ପୁନଃ ସମୀକ୍ଷା ପାଇଁ ପାକିସ୍ତାନ ସରକାର ମଞ୍ଜୁରୀ ଦେଇଥିବା ଜଣାପଡିଛି । ପାକିସ୍ତାନର ଏକ ଗଣମାଧ୍ୟମ ସୂଚନା ମୁତାବକ ଆର୍ନ୍ତଜାତୀୟ କୋର୍ଟର ନିର୍ଦ୍ଦେଶ ଅନୁପାଳନ କରିବାକୁ ଯାଇ କୁଳଭୂଷଣଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡ ଉପରେ ପୁଣି ଥରେ ସମୀକ୍ଷା କରିବାକୁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ କୁଳଭୂଷଣ ଯାଦବଙ୍କ ମାମଲାରେ ଇସଲାମାବାଦ ହାଇକୋର୍ଟ ଦ୍ୱାରା ନିଦ୍ଧାରିତ କରାଯାଇଥିବା ପତିରକ୍ଷା ପରାମର୍ଶଦାତା ବା ଓକିଲ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷ ରଖିବାକୁ ମନାକରିଦେଇଥିଲେ । ଏହାପରେ ଇସଲାମାବାଦ ହାଇକୋର୍ଟ ୨ ଜଣ ବରିଷ୍ଠ ଓକିଲ ଆବିଦ୍ ହୋସେନ ମିଣ୍ଟୁ ଓ ମଖଦୁମ୍ ଅଲ୍ଲି ଖାନ ଙ୍କୁ ପ୍ରତିରକ୍ଷା ପକ୍ଷ ଓକିଲ ଭାବେ ନିଯୁକ୍ତ କରିବାକୁ କହିଥିଲେ ବି ଏହି ୨ ଜଣ ଓକିଲ ରାଜି ହୋଇନଥିଲେ ।

ଆବିଦ୍ ହୋସେନ ମିଣ୍ଟୁ କହିଥିଲେ କି ସେ ଦୀର୍ଘ ଦିନ ହେବ ଅବସର ନେଇ ସାରିଲେଣି । ଏହା ସହ ସେ ପ୍ରାକ୍ଟିସ ରେ ନାହାନ୍ତି । ଅନ୍ୟପଟେ ମଖଦୁମ୍ ଅଲ୍ଲି ଖାନ ନିଜର ଜରୁରୀ କାମ ଥିବା କଥା କହି ଉହୁରି ଯାଇଥିଲେ । ଏହାପରେ ପାକିସ୍ତାନ ଜେଲରେ ବନ୍ଦିଥିବା କୁଳଭୂଷଣ ଯାଦବଙ୍କ ମାମଲାର ନିରେପକ୍ଷ ଶୁଣାଣି ପାଇଁ ବାହାରୁ ଓକିଲ ଯୋଗାଡ କରିବାକୁ କୁଳଭୂଷଣଙ୍କ ପରିବାର ଦାବି କରିଥିଲେ ।

ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଜାହିଦ୍ ହାଫିଜ ଚୌଧୁରୀ କହିଛନ୍ତି କି ଭାରତ ଲଗାତର ବାହାର ଓକିଲ ପାଇଁ ଦାବି କରୁଛି ହେଲେ ଅନ୍ତର୍ଜାତୀୟ ନିୟମ ମୁତାବକ ପାକିସ୍ତାନ କୋର୍ଟରେ ସେହି ଓକିଲ ମାନେ ଲଢିପାରିବେ ଯେଉଁମାନେ କି ପାକିସ୍ତାନ କୋର୍ଟରେ ପ୍ରାକ୍ଟିସ କରିଥିବେ  ଓ ତାଙ୍କ ପାଖରେ ଏଠାର ଲାଇସେନ୍ସ ରହିଥିବ ।

ଅନ୍ୟପଟେ ପାକିସ୍ତାନ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ କୁଳଭୂଷଣ ଯାଦବଙ୍କ ପରିବାରକୁ ଆସ୍ୱସ୍ଥି ମିଳିଛି । ଏହା ସହ ଭାରତ ସରକାର ଯଦି ଏହି ମାମଲାରେ ଆଇସିଜେରେ କୁଳଭୂଷଣ ମାମଲାକୁ ଟିକେ ନଜର ଅନ୍ଦାଜ ଦେଇ ଆଗକୁ ନେବାକୁ ଚେଷ୍ଟା କରିବେ ତେବେ କୁଳଭୂଷଣଙ୍କୁ ସ୍ୱଦେଶ ଫେରାଇ ଆଣିବା ସହଜ ହେବ ।