ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି: ଆଜି ରାଜ୍ୟର ସମସ୍ତ ଥାନା ଘେରିବେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା

ସେପଟେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗରେ ବାସଭବନ ଘେରିବ ଛାତ୍ର କଂଗ୍ରେସ । ଯୁବ କଂଗ୍ରେସର ଡିଜିପି ଅଫିସ ଘେରାଉ କାର୍ଯ୍ୟକ୍ରମ

151

କନକ ବ୍ୟୁରୋ: କଟକ ଜିଲ୍ଲା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବ ରାଜ୍ୟ ବିଜେପି । ଅଭିଯୁକ୍ତଙ୍କ ଗିରଫଦାରି ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିବ ଦଳ । ଏପରିକି ବିଜେପି ନେତାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ୪୮ ଘଂଟାର ଡେଡଲାଇନ ଦେଇଛି ବିଜେପି । ଯଦି ୪୮ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସରକାର ବିଫଳ ହୁଅନ୍ତି, ତେବେ ବିଜେପି ରାଜ୍ୟର ପ୍ରତି ଗଳିକନ୍ଦିରେ ଆନ୍ଦୋଳନ କରିବ । ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ କୌଣସି ଉତ୍ସବ ଓ ଜନାସମାବେସରେ ସାମିଲ ହେବାକୁ ଦେବନାହିଁ ବୋଲି ବିଜେପି କହିଛି । ଏପଟେ ଆଜି ଦଳର ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଥାନା ଘେରାଉ କରାଯିବ । ସେହିପରି ଆଗାମୀ ୬ ତାରିଖରେ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବେ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ଜାନୁଆରୀ ୮ ତାରିଖରେ ସରକାରଙ୍କ ବିରୋଧରେ ଦଳର ୨୫ ହଜାର କାର୍ଯ୍ୟକର୍ତା ଡିଜିପି ଅଫିସ ଘେରାଉ କରିବେ ।

ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ରାଜନୈତିକ ହିଂସାକାଣ୍ଡ ପ୍ରତିବାଦରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବସଭବନ ଘେରାଉ କରିବ ଛାତ୍ର କଂଗ୍ରେସ । ସେପଟେ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନଥିବା ଦଳ ଅଭିଯୋଗ କରିଛି । ତେଣୁ ରାଜ୍ୟରେ ଶିଶୁ ନିଖୋଜ, ହତ୍ୟା, ଦୁଷ୍କର୍ମ ଓ ରାଜନୈତିକ ହତ୍ୟାକାଣ୍ଡ ଭଳି ଅପରାଧ ବଢିଚାଲିଥିବା କଂଗ୍ରେସ କହିଛି ।

ବଡ଼ କଥା ହେଉଛି, ପରୀ ହତ୍ୟାକାଣ୍ଡ ପରେ କୁଳମଣୀ ବରାଳ ହତ୍ୟାକାଣ୍ଡ, ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେପି ପାଇଁ ଏକ ବଡ଼ ପ୍ରସଙ୍ଗ ପାଲଟିଯାଇଛି । ଆଉ ନୟାଗଡର ଯଦୁପୁର ପରେ ରାଜ୍ୟ ବିଜେପିର ଫୋକସକୁ ଚାଲିଆସିଛି କଟକ ଜିଲ୍ଲାର ମାହାଙ୍ଗା । ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଥିବା ରାଜ୍ୟ ବିଜେପି ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି । କାରଣ ମୃତ କୁଳମଣି ବରାଳଙ୍କ ପୁଅ ଥାନାରେ ଦେଇଥିବା ଏତଲାରେ ୧୨ ଜଣଙ୍କ ଭିତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ମଧ୍ୟ ରହିଛି । ହେଲେ ମାମଲାରେ କୌଣସି ପ୍ରକାର ସଂପୃକ୍ତିକୁ ଅସ୍ୱୀକାର କରିଆସୁଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।