ଭାଇରାଲ ଭିଡିଓ ଖୋଳତାଡ: ଗାଡି ନମ୍ବରକୁ ଆଧାର କରି କୁଚିଣ୍ଡାରେ ତଦନ୍ତ, କେବେ ଧରା ହେବେ ଅସାମାଜିକ ଯୁବକ ?

379

କନକ ବ୍ୟୁରୋ: ନିଛାଟିଆରେ ୨ ଛାତ୍ରୀଙ୍କୁ ନିର୍ଯାତନା ଘଟଣା । ନିର୍ଯାତନା ଦିଆଯାଉଥିବାର ଭିଡିଓ ଭାଇରାଲ ହେବାର ଦିନଟିଏ ବିତି ଯାଇଥିଲେ ବି ଏଯାଏଁ କାହାରିକୁ ଗିରଫ କରିନି ପୋଲିସ । କିମ୍ବା ପୋଲିସ ପାଖରେ ଭିଡିଓ ନେଇ କୌଣସି ଖବର ନାହିଁ । ଭାଇରାଲ ଭିଡିଓରେ କିଏ କିଏ ଅଛନ୍ତି ? ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଏହି ଭିଡିଓ ତିଆରି ହୋଇଛି ? ଭିଡିଓରେ ଦିଶୁଥିବା ଯୁବକଙ୍କ ଛଡା ୟା ପଛରେ ପ୍ରକୃତ ଭିଲେନ କିଏ ? ଏ ସମସ୍ତ ପ୍ରଶ୍ନ ଉପରୁ ଏ ପର୍ଯ୍ୟନ୍ତ ପୋଲିସ ପରଦା ଉଠାଇ ପାରିନଥିବା ବେଳେ ଭିଡିଓରେ ଦିଶୁଥିବା ଗାଡି ନମ୍ବର ଝାରସୁଗୁଡାର ବୋଲି ଜଣାପଡିଛି ।

ସେପଟେ ଭିଡିଓ ବାବଦରେ କିଛି ରେଜିଷ୍ଟ୍ରେସନ ହୋଇନି ବୋଲି ଏସପି କହିଥିବା ବେଳେ ସବିଶେଷ ତଥ୍ୟ ପାଇଁ ତଦନ୍ତ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଇଲା ପରେ କୁଚିଣ୍ଡା ଥାନା ଆଇଆଇଏସି ଆକ୍ସନ ମୋଡକୁ ଆସିଛନ୍ତି । ସେ ଏ ଭିଡିଓ ଦେଖିଛନ୍ତି । ଅନେକ ଲୋକଙ୍କୁ ଭିଡିଓ ବାବଦରେ କହିଥିବା ବେଳେ ଭିଡିଓର ଭେରିଫିକେସନ ଚାଲିଛି । ଭେରିଫିକେସନରୁ ସ୍ପଷ୍ଟ ହେଲେ ଭିଡିଓରେ ଥିବା ସମସ୍ତ ଅସାମାଜିକ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।


ତେବେ ଗତକାଲି ନିଛାଟିଆ ରାସ୍ତାରେ ୨ ଛାତ୍ରୀଙ୍କୁ ୮ରୁ ୧୦ ଜଣ ଅସାମାଜିକ ଯୁବକ ନିର୍ଯାତନା ଦେଇଥିଲେ । ଶୂନଶାନ ରାସ୍ତାରେ ଛାତ୍ରୀଙ୍କୁ ଘେରି ଯାଇ ଅଶାଳୀନ ଭାଷରେ ଗାଳି ଗୁଲଜ କରିବା ସହ ସେମାନଙ୍କ ସହ ଜୋରଜବରଦସ୍ତି କରିଥିଲେ । ଛାତ୍ରୀଙ୍କ ମୋବାଇଲ ଛଡାଇ ନେଇ ୫ ହଜାର ଟଙ୍କା ଦେବାକୁ ମଧ୍ୟ ଧମକ ଦେଇଥିଲେ । ଭାଇରାଲ ହୋଇଥିବା ୪ ମିନିଟର ଛାତିଥରା ଭିଡିଓରେ ଛାତ୍ରୀ ଦୁଇ ଜଣ କାକୁତି ମିନତି ହେଉଥିବା ଦେଖିବାକୁ ମିଳିଥିଲା । ଯୁବକଙ୍କ ଗୋଡ ହାତ ଧରି ସେମାନଙ୍କୁ ଛାଡିଦେବାକୁ ଉଭୟେ ଅନୁରୋଧ କରିଥିବା ବେଳେ ଅସାମାଜିକ ଯୁବକମାନେ ସେମାନଙ୍କୁ ଛାଡିବା ପରିବର୍ତ୍ତେ ନିର୍ଯାତନାର ଭିଡିଓ ସୁଟିଂ କରିଥିଲେ ।

ତେବେ ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ବି ଭିଡିଓ ସୁଟ କରିଥିବା ଏବଂ ନିର୍ଯାତନା ଦେଇଥିବା ଅସାମାଜିକ ଯୁବକ ଗଲେ କୁଆଡେ ? ଆପଣଙ୍କ ଅଂଚଳର ଆଖପାଖରେ ସେମାନେ ବୁଲୁନାହାନ୍ତି ତ? ନିକାଂଚନ ଜାଗାରେ କଲେଜ ପଢୁଆ ଯୁବତୀଙ୍କୁ ଅତ୍ୟାଚାର କରିଥିବା ଏହି ଅସାମାଜିକ ଯୁବକ କେବେ ଧରାପଡିବେ? ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏ ସମସ୍ତ ପ୍ରଶ୍ନ ଉପରେ ପୋଲିସ ଗୁରୁତ୍ୱ ଦେବା ଜରୁରୀ ।