ଶୁଣିଲେନି ପ୍ରଶାସନ, ନିଜ ଗାଁ ରାସ୍ତା ନିର୍ମାଣ କରିଦେଲେ ଗ୍ରାମବାସୀ । କରୋନା କଟକଣା ସମୟର ସମ୍ପୂର୍ଣ୍ଣ  ସଦୁପଯୋଗ କରି ଉଦାହରଣ ସୃଷ୍ଟି କଲେ କୁଚିଣ୍ଡା ଗ୍ରାମବାସୀ ।

110

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ସମସ୍ତେ ଏବେ ପ୍ରାୟ ଘରେ ରହୁଛନ୍ତି । ବାହାରକୁ ଯିବାରେ କଟକଣା କାରଣରୁ ଘରେ ବସିବା ଛଡା ଅନ୍ୟ ବାଟ ବି ନାହିଁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ କିଛି ଗ୍ରାମବାସୀ ଏହି ସମୟକୁ ଉପଯୋଗ କରିଛନ୍ତି ରାସ୍ତା ତିଆରିରେ । ପ୍ରଶାସନକୁ ଗୁହାରି କରି କରି କେହି ଶୁଣିଲେନି । ଶେଷରେ ଲାଡଙ୍ଗମାଲ ଗ୍ରାମବାସୀ ତାଲାବନ୍ଦରେ ଶ୍ରମଦାନ କରି ମରାମତି କରିଛନ୍ତି ଗାଁ ରାସ୍ତା ।

ବର୍ଷ ବର୍ଷ ଧରି ରାସ୍ତା ସମସ୍ୟାରେ ଘାଂଟି ହେଉଥିଲେ ୪ ଖଣ୍ଡ ଗାଁ ଲୋକ । ମରାମତି ପାଇଁ ପ୍ରଶାସନ ନିକଟରେ ଗୁହାରି କରି କରି ଥକିଗଲେ କିନ୍ତୁ ଶୁଣିଲାନି ପ୍ରଶାସନ । ଶେଷରେ ଏଥର ବର୍ଷା ଆସିବା ବେଳକୁ ରାସ୍ତା ଅବସ୍ଥା ହୋଇଥିଲା ଶୋଚନୀୟ । ପ୍ରତିଦିନର ସମସ୍ୟାକୁ ସମାଧାନ ପାଇଁ ଆଉ ଅପେକ୍ଷା କଲେନାହିଁ ପ୍ରଶାସନକୁ । ହାତରେ ଧରିଲେ କୋଡି କୋଦାଳ । ମରାମତି କଲେ ପ୍ରାୟ ୨ କିଲୋମିଟରର ରାସ୍ତା । ସଂବଲପୁର ଜିଲ୍ଲା କୁଚିଣ୍ଡା ଏନଏସିର ୮ ନଂବର ୱାର୍ଡରୁ ଆସିଛି ଏପରି ଏକ ଚିତ୍ର ।

କୁଚିଣ୍ଡା ଏନଏସିର ୮ ନଂବର ୱାର୍ଡର ଘୋଷାରୁ ଲାଡଙ୍ଗମାଲ ସଂଯୋଗ କରୁଥିବା ରାସ୍ତାର ପ୍ରାୟ ୨ କିଲୋମିଟର । ଏହାର ଅବସ୍ଥା ଥିଲା ଅତି ଶୋଚନୀୟ । ବର୍ଷା ଆସିଲେ ଯମ ବି ପାଦ ପକାଇବନି । ଏବେ କରୋନା କଟକଣାକୁ ନେଇ ସମସ୍ତେ ପ୍ରାୟ ଗାଁରେ ରହୁଛନ୍ତି । ଏପରି ସମୟରେ ଲାଡଙ୍ଗମାଲ ଗାଁ ଲୋକ କିଛି ଉତ୍ସାହୀ ଯୁବକଙ୍କୁ ସାଥୀ କରି ଆଗେଇ ଆସି ମରାମତ କରିଦେଇଛନ୍ତି ଗାଁ ରାସ୍ତାକୁ । ତାଲାବନ୍ଦ ସମୟରେ କିଏ କେମିତି ସମୟ କାଟୁଛି । ହେଲେ ଲଙ୍ଗଡାମାଳ ଗ୍ରାମବାସୀଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଦେଇଛିି ସୁନ୍ଦର ବାର୍ତା ।