ବ୍ୟବସାୟର ମାଧ୍ୟମ ପାଲଟିଛି ଲିଚୁକୋଳି । ଚାଷୀଙ୍କ ଠାରୁ ଲିଚୁ କିଣି ବିକ୍ରି କରୁଛନ୍ତି ଏସଏଚଜି ମହିଳା ।

190

କନକ ବ୍ୟୁରୋ: ରାସ୍ତାଘାଟ ଦୋକାନ ବଜାର ଏବେ ସବୁଠି ଲିଚୁ କୋଳିର ଆସର । ଖରାଦିନେ ସଭିଁଙ୍କ ମନରେ ରାଜ୍ କରୁଥାଏ ଲିଚୁ କୋଳି । ଲିଚୁକୋଳି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେମିତିି ସୁଆଦିଆ । ତେବେ ଏହି ଲିଚୁ ବିକି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ସମ୍ବଲପୁର କୁଚିଣ୍ଡା ଅଂଚଳରେ ପ୍ରଚୁର ପରିମାଣର ଲିଚୁ ଚାଷ କରିଛନ୍ତି ଚାଷୀ । କୁଚିଣ୍ଡାର ବଡ଼ବାହାଳ ଗାଁରେ ପ୍ରାୟ ୨ଶହରୁ ଅଧିକ ସଂଖ୍ୟକ ଚାଷୀ ଲିଚୁ ଚାଷକରି ଉପକୃତ ହେଉଛନ୍ତି ।

କୁଚିଣ୍ଡାର ପ୍ରାକୃତିକ ପରିବେଶ ଏବଂ ଗୁଗଗୁଦା ଜଳପ୍ରପାତର ଜଳଧାରା ଲିଚୁ ଚାଷ ପାଇଁ ବେଶ ଉପଯୋଗୀ ହୋଇଥିବାରୁ ଏଠାରେ ପ୍ରଚୁର ପରିମାଣ ଲିଚୁ ଚାଷ ହେଇଥାଏ । ତେବେ ଗାଁର ଅଧିକାଂଶ ମହିଳା ଲିଚୁ ଚାଷୀଙ୍କ ଠାରୁ ଲିଚୁ କିଣି ସ୍ୱାବଲମ୍ବୀ ହେବା ପାଇଁ ଏହାକୁ ବ୍ୟବସାୟ ରୁପେ ଗ୍ରହଣ କରିଛନ୍ତି । ଘର କାମ ସହ ଅନ୍ୟାନ୍ୟ କାମ ସାରି ଏଠାକାର ମହିଳା ମାନେ ବାହାରି ଯାଆନ୍ତି ରାସ୍ତା କଡରେ ଲିଚୁ ବିକିବା ପାଇଁ । ଗୋଟେ ଗୋଟେ ସିଜିନରେ ୪୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।

ଚଳିତ ବର୍ଷ ରୋଗ ପୋକ ଯୋଗୁଁ ଆରମ୍ଭରୁ ବଉଳଫୁଲ ଝଡିଯିବା ସହ ଫଳ ମଧ୍ୟ ଭଲ ଆସିନାହିଁ । ଠିକ ସମୟରେ ବର୍ଷା ନହେବା ମଧ୍ୟ ଅନ୍ୟ ଏକ କାରଣ ହୋଇଥିବା କହିଛନ୍ତି ଚାଷୀ ଓ ବ୍ୟବସାୟୀ । ଯାହା ବି ଫଳିଛି ପ୍ରାୟ ପୋକ ଲାଗିଯାଉଛି । ତେଣୁ ଚାଷୀ ହେଉ ବା ବ୍ୟବସାୟୀ, ବ୍ୟବସାୟକୁ ନେଇ ଭଲ ଦୁଇ ପଇସା ଲାଭ ଆଶା ରଖିଥିବା ବେଳେ ଏଭଳି ଅବସ୍ଥା ତାଙ୍କୁ ନିରାଶ କରିଛି ।