ନିର୍ଦ୍ଧାରିତ ମୂଲ୍ୟରେ ଧାନ ବିକ୍ରି କରିପାରୁନି ଚାଷୀ । ଗୋଟିଏ ଗୋଟିଏ ଟ୍ରକରେ ଦୁଇ ତିନୋଟି ଗାଁର ଚାଷୀଙ୍କ ଟୋକନ କଟୁଛି

793

କନକ ବ୍ୟୁରୋ : ମଣ୍ଡିରେ ଲାଗିଛି ଧାନ ବୋଝେଇ ଟ୍ରକ । ଚାଷୀର ଧାନ କିଣୁଛି ଲ୍ୟାମ୍ପ । ଧାନ ମଣ୍ଡିକୁ ଦେଖି ଲାଗୁଛି ସବୁ ଠିକ ଠାକ ଚାଲିଛି । କିନ୍ତୁ ଗୋଟିଏ ଗୋଟିଏ ଟ୍ରକରେ ଦୁଇ ତିନୋଟି ଗାଁର ଚାଷୀଙ୍କ ଟୋକନ କଟୁଛି । ପୁଣି ଧାନ ଗାଡି ସିଧା ସଳଖ ମିଲକୁ ଚାଲି ଯାଉଥିବାରୁ ଦଲାଲ ସକ୍ରିୟ ଥିବା ଆଶଙ୍କା କରାଯାଉଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ହେଲେ, ଏଠାରେ ଚାଷୀ ଙ୍କୁ ପଚାରିଲେ ଠିକରେ କହିପାରୁନଥିବା ବେଳେ ଚାଷୀ ପୁର୍ବରୁ ତାର ଧାନକୁ ଶାଗମାଛ ଦରରେ ବିକି ମଣ୍ଡିକୁ ଖାଲି ଟୋକନ ଧରି ଆସୁଥିବା ଜଣାପଡିଛି ।

ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳିଆ ସ୍ଥିତି ପରଖିଥିବା ବେଳେ ମଣ୍ଡିରେ ଲାଗିଥିବା ଟ୍ରକରେ ମହୁଲଡିହି, କୁଣ୍ଡାପୋଷି , ସଇଡା ଆଦି ୩ ଟି ଗାଁର ୬ ଜଣ ଚାଷୀଙ୍କର ୨୮୦ ପ୍ୟାକେଟ ଧାନ ବିକ୍ରି ହୋଇଛି । ଚାଷୀମାନେ ଗୋଟିଏ ବଡ ଟ୍ରକରେ ଧାନ ଆଣି ମଣ୍ଡିରେ ବିକ୍ରି କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଲ୍ୟାମ୍ପ କର୍ମଚାରୀ ଓ ଶାଖା ପରିଚାଳକ ସଫେଇ ରଖିଛନ୍ତି ।