କନକ ବ୍ୟୁରୋ: ଆଗାମୀ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ଉଷ୍ମ ହେବାରେ ଲାଗିଛି । ତେବେ ବିଜେଡି ଜନ୍ମ ନେବା ପରଠାରୁ କେବେ ବି ଜିତି ପାରି ନଥିବା ଓଡ଼ିଶାର ହାତ ଗଣତି ଆସନ ମଧ୍ୟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ଆସନ ଅନ୍ୟତମ । ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର ଏକମାତ୍ର ଆସନଭାବେ କୁଚିଣ୍ଡାରେ ହିଁ ଶାସକ ଦଳ ପରାଜୟ ବରଣ କରିଥିଲା। ବିଜେପି ନେତା ରବି ନାରାୟଣ ନାୟକ ତୃତୀୟଥର ପାଇଁ ବିଧାୟକ ହେବା ସହ କଂଗ୍ରେସ୍ ହାତରୁ ପୁଣିଥରେ କୁଚିଣ୍ଡାକୁ ଛଡ଼ାଇ ଆଣିଥିଲେ। ତେବେ ଏହି ବିଧାନସଭା ଆସନ ଜିତିବା ଶାସକ ବିଜେଡି ପାଇଁ ଏକ ଆହ୍ବାନ ପାଲଟିଥିବାବେଳେ ଏଥର ବିଜୟର ସ୍ୱାଦ ଚାଖିବାକୁ ଗୋଟିଚାଳନା କରୁଛି ବିଜେଡି ।
ଚଳିତ ନିର୍ବାଚନରେ ବିଜେଡିକୁ କୁଚିଣ୍ଡା ଆସନରୁ ବିଜୟର ସ୍ୱାଦ ଚଖାଇବା ପାଇଁ ପୂର୍ବତନ ଝାରସୁଗୁଡ଼ା କଂଗ୍ରେସ ନେତା ନବଦାସଙ୍କ ମୁଣ୍ଡ ଉପରେ ନିର୍ଭର ରହିଛି । ଯେବେଠାରୁ ନବ ଶଙ୍ଖ ଧରିଛନ୍ତି ତାଙ୍କୁ ଝାରସୁଗୁଡ଼ା ବ୍ୟତୀତ ଯେଉଁ କିଛି ନିକଟବର୍ତ୍ତୀ ଆସନରେ ଦଳର ବିଜୟ ସୁନିଶ୍ଚିତ କରିବା ଦାୟିତ୍ବ ଦିଆଯାଇଛି ତନ୍ମଧ୍ୟରେ କୁଚିଣ୍ଡା ହେଉଛି ଅନ୍ୟତମ । ତେଣୁ ନବ ପର୍ଯ୍ୟବେକ୍ଷକ ରବି ପାଣିଙ୍କ ସହ କୁଚିଣ୍ଡାର ବିଭିନ୍ନ ଅଞ୍ଚଳ ବୁଲାବୁଲି କରି ଦଳର ସଂଗଠନ ସଜାଡିବା ପ୍ରୟାସ ଜାରି ରଖିଛନ୍ତି। ବିଜେଡି ଟିକଟ୍ ପାଇଁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଗତ ନିର୍ବାଚନର ପରାଜିତ ପ୍ରାର୍ଥୀ ଭୁବନେଶ୍ୱର କିସାନ, କୁଚିଣ୍ଡା ଲେମ୍ପସ ସଭାପତି ମନୋରଞ୍ଜନ ଭୋଇ, ବାମରା ବ୍ଳକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜୟପାଲ ନାୟକ, ଧର୍ମରାଜ ମରେଇ, କରୁଣାକର କିସାନ ପ୍ରମୁଖ ଆଶାୟୀ ଅଛନ୍ତି।
ଅପରପକ୍ଷରେ ତିନିଥରର ବିଧାୟକ ତଥା ଜଣାଶୁଣା ଆଦିବାସୀ ନେତା ରବି ନାୟକ ନିଜ ଦଳର ଏକମାତ୍ର ଭରସା । ୨୦୦୯କୁ ବାଦ ଦେଲେ ଗତ ୪ଟି ନିର୍ବାଚନ ମଧ୍ୟରୁ ୩ଥର ବିଜେପିର ରବି ନାୟକ କୁଚିଣ୍ଡା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ଚଳିତ ଥର ମଧ୍ୟ ବିଜେପିରୁ ଟିକେଟ୍ ପାଇବାକୁ ଆଶାୟୀ ରହିଛନ୍ତି ରବି । କାରଣ ବର୍ତ୍ତମାନର ବିଧାୟକ ରବି ନାୟକଙ୍କ ବ୍ୟତୀତ ଅନ୍ୟ କୌଣସି ଆଶାୟୀଙ୍କ ନାଁ ଶୁଣିବାକୁ ମିଳୁନଥିବା ସ୍ଥାନୀୟ ମହଲରେ ଆଲୋଚନା ହେଉଛି ।
ସେପଟେ କଂଗ୍ରେସ ଟିକେଟ୍ ପାଇଁ ଏକାଧିକ ଆଶାୟୀ ଥିଲେ ବି ଯଦି ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କୁ ପ୍ରାର୍ଥୀ କରିବ ତାହେଲେ ବିଜେପି, ବିଜେଡିକୁ କଡ଼ା ଟକ୍କର ଦେଇ ପାରିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ହେମାନନ୍ଦ କୁଚିଣ୍ଡା କଂଗ୍ରେସ ଟିକଟ ପାଇଁ ନିଜେ ଆବେଦନ କରିବା ବଦଳରେ ତାଙ୍କ ଝିଅ ସାନ ଝିଅ ଅମିତାଙ୍କୁ ଟିକେଟ୍ ଆବେଦନ କରାଇଥିବା ଶୁଣିବାକୁ ମିଳୁଛି ।
ଅନ୍ୟପଟେ ତାଙ୍କ ବଡ଼ ଝିଅ ସୁନିତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଯାହା କଂଗ୍ରେସ ପାଇଁ ଆଗାମୀ ନିର୍ବାଚନରେ ସମସ୍ୟା ହିଁ ସମସ୍ୟା ସୃଷ୍ଟି କରିଥିବା ଶୁଣିବାକୁ ମିଳୁଛି । ତେବେ କଂଗ୍ରେସକୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗିଛି । ଦଳରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶୋଭାରାମ ପ୍ରଧାନ , ଜୟନ୍ତ ପଧାନ, ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳଙ୍କ ଭଳି ଆଶାୟୀ କଂଗ୍ରେସ ଶିବିରରେ ଦ୍ୱନ୍ଦ ବଢ଼ାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/KUCHINDA-NEW.jpg)