କନକ ବ୍ୟୁରୋ: କୋଟିପତି ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଗିରଫ। ଗତକାଲି ଦିନ ସାରା ଚଢାଉ ପରେ ଆଜି ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ପ୍ରପର୍ଟି ଷ୍ଟେଟମେଣ୍ଟରେ ତଥ୍ୟ ଲୁଚାଇଥିଲେ ପ୍ରଭାସ ପ୍ରଧାନ। ଚଢ଼ଉ ସମୟରେ ତାଙ୍କ ପାଖରେ ୮୫ଟି ପ୍ଲଟ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ କେବଳ ଜଳେଶ୍ୱରରେ ୮୦ଟି ପ୍ଲଟ ରହିଛି। ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଛି। ରେଡ଼ ସମୟରେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ୨୧୮ ଗ୍ରାମର ସୁନା ଗହଣା ଜବତ ହୋଇଛି। ଏହା ସହ ଏକ ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି। ଜଳେଶ୍ୱର ବଡ଼ ବଜାରରେ ଥିବା ତାଙ୍କ ପୈତୃକ ଘର, ନୂଆ କରି ତିଆରି ହେଉଥିବା ୫ ମହଲା ରହିଛି। ଏହା ସହ ସେହି ବଡ଼ବଜାରରେ ଥିବା କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ଆଇଟିଆଇଟି ଛକରେ ସରକାରୀ ବାସଭବନ, ଅଫିସ୍ ଓ ଜଳେଶ୍ୱରରେ ଥିବା ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହୋଇଛି।