କନକ ବ୍ୟୁରୋ : କିରୁଥିକା ପ୍ରଭାକରନଙ୍କ ଲିଗାଲ ନୋଟିସ୍ ପରେ ଟ୍ୱିଟ୍ କରି ଖୋଲା ଚ୍ୟାଲେଞ୍ଜ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ପଚାରିଲେ କିଏ କ୍ଷମା ମାଗିବା ଦରକାର ? ଟ୍ୱିଟ୍ କରି ସାଂସଦ ଲେଖିଛନ୍ତି, ସେ ବିଗତ ଦିନରେ ବହୁ ସଂଖ୍ୟାରେ ଚାଷୀ, ବିଭିନ୍ନ ବ୍ୟକ୍ତିଗତ ଲୋକ ଓ ଜନସାଧାରଣଙ୍କ ଏକାଧିକ ଲିଖିତ ଅନୁରୋଧ ପରେ ବିଭିନ୍ନ ଅନୁସନ୍ଧାନ କରିଛନ୍ତି । ଚନ୍ଦକାରେ ବେଆଇନ ଘେରା ବନ୍ଦୀ ଏବଂ ଅବରୋଧ କରି ସରକାରୀ ଡେରାସ କେନାଲ କିରୁଥିବା ପ୍ରଭାକରନଙ୍କ ଦ୍ୱାରା ପୋତି ଦିଆଯାଇଥିଲା ।

Advertisment

ଯାହା ଦ୍ୱାରା ୩୦୦ ଏକର ଚାଷଜମି ବିଗତ ଦୁଇ ବର୍ଷ ହେଲା ଚାଷ ହୋଇପାରୁନାହିଁ । ଏହି ସରକାରୀ କେନାଲ ସଂପୂର୍ଣ୍ଣ ଭାବେ ସରକାରୀ ଜମିରେ ନିର୍ମିତ ହୋଇଛି । ଯାହାର ଜବରଦଖଲ ସଂପୂର୍ଣ୍ଣ ଭାବେ ବେଆଇନ । ୧୫୦ ଏକର ଅଂଚଳରେ ଏମ୍ଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ରହିଛି । ଯାହାକୁ ମୁକ୍ତ କରିବା ଆବଶ୍ୟକ । ଯାହାର ଜମି ତାକୁ ଆଇନଗତ ଅଧିକାର ମିଳିବା ଦରକାର । ଏଭଳି ସ୍ଥିତିରେ କିରୁଥିକା ପ୍ରଭାକରନ୍ ଓକିଲ ନୋଟିସ୍ ମାଧ୍ୟମରେ ତାଙ୍କୁ ସାର୍ବଜନୀନ କ୍ଷମା ମାଗିବା ପାଇଁ କହିଛନ୍ତି । କିରୁଥିକା ପଠାଇଥିବା ନୋଟିସରେ ଦର୍ଶାଇଛନ୍ତି, ସେ ଜଣେ ସମ୍ମାନନୀୟ ମହିଳା ।

ତାଙ୍କ ପ୍ରତି ଯେଉଁ ଭଳି ଅପଶବ୍ଦ ବ୍ୟବହାର ହୋଇଛି, ତାହା ତାଙ୍କର ଓ ତାଙ୍କ ପରିବାରର ମର୍ଯ୍ୟାଦାହାନୀ କରିଛି । ଏଥି ସହ ସାଂସଦ ଅପରାଜିତା ତାଙ୍କ ଜମିରେ ଜୋରଜବରଦସ୍ତି ବେଆଇନ ଭାବେ ପ୍ରବେଶ କରିଥିବା ତାଙ୍କ ଆଇନଜୀବୀ ଦର୍ଶାଇଛନ୍ତି । ଏଥିପାଇଁ ଅପରାଜିତା କ୍ଷମା ପ୍ରାର୍ଥନା କରିବାକୁ ତାଙ୍କ ଓକିଲ ଦାବି କରିଛନ୍ତି । ତେବେ ନୋଟିସ୍ ପାଇବା ପରେ ଏକାଧିକ ପ୍ରଶ୍ନ କରିବା ସହ କିଏ କ୍ଷମା ମାଗିବା ଦରକାର ବୋଲି ପଚାରିଛନ୍ତି ଅପରାଜିତା ଷଡଙ୍ଗୀ ।