କନକ ବ୍ୟୁରୋ: ବିରଳ କୃଷ୍ଣସାର ମୃଗ । ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ମୁକ୍ତ ଆଉ ଅବାଧରେ ବିଚରଣ କରୁଥିବା ଏହି ବନ୍ୟପ୍ରାଣୀଙ୍କ ସଂଖ୍ୟା ଏବେ ଆଶାତୀତ ଭାବେ ବୃଦ୍ଧି ପାଇଛି । ବନ ବିଭାଗର କର୍ତବ୍ୟନିଷ୍ଠା, ସଚେତନତା ଓ ଏମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯୋଗୁ ଏହା ସମ୍ଭବ ହୋଇପାରିଛି । ହେଲେ ଫସଲକୁ ମୃଗଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀମାନେ ଘେରାଇଥିବା ତାର ଜାଲ କିନ୍ତୁ ଏମାନଙ୍କ ପାଇଁ କାଳ ସାଜିଛି ।

Advertisment

ଦଳ ଦଳ ହୋଇ ମୁକ୍ତ ଏବଂ ଅବାଧରେ ବିଚରଣ କରୁଛନ୍ତି କୃଷ୍ଣସାର ମୃଗ ।  ପଡିଆ, ଗାଁ, ରାସ୍ତାକଡ ସବୁଠି ଘୁରିବୁଳୁଛନ୍ତି ଏହି ବିରଳ ପ୍ରଜାତିର ବନ୍ୟ ପ୍ରାଣୀ । ଖାଦ୍ୟର ଅଭାବ ନାହିିଁ, ନିର୍ଭୟରେ ବୁଲୁଛନ୍ତି ଏମାନେ । ପାଖକୁ ଗଲେ ବି ଡରୁନାହାଁନ୍ତି । କାରଣ ସ୍ଥାନୀୟ ଅଞ୍ଚଳର ଲୋକେ ଏମାନଙ୍କର ବନ୍ଧୁ ପାଲଟି ଯାଇଛନ୍ତି । ଗଞ୍ଜାମ ଜିଲ୍ଲା ଦକ୍ଷିଣ ବନଖଣ୍ଡ ଆସିକା ରେଞ୍ଜ୍ ଭେଟନଇ ଓ ବାଲିପଦର ମୃଗବିହାର । ୧୯୭୨ରୁ ଏ ଅଞ୍ଚଳରେ ଧିରେ ଧିରେ ବଢିଚାଲିଛି ଏମାନଙ୍କ ସଂଖ୍ୟା । ବନ ବିଭାଗର ରିପୋର୍ଟ କହୁଛି, ୨୦୨୩ ଗଣନା ଅନୁସାରେ ସଂଖ୍ୟା ୧୯୭୯ରେ ପହଞ୍ଚିଛି । ବିରଳ କୃଷ୍ଣସାର ମୃଗ ଦେଖିବା ପାଇଁ ରାଜ୍ୟବାହାରୁ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ।

କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ବନ ବିଭାଗ ମଧ୍ୟ ବହୁ ପଦକ୍ଷେପ ନେଇଛି । ସ୍ଥାନୀୟ ଲୋକଙ୍କୁ ସଚେତନ କରିବା, ଖାଦ୍ୟ ପାଇଁ ଘାସ ବଗିଚା, ପାଣି ପାଇଁ ପୋଖରୀ ,ଦୁର୍ଘଟଣାରୁ ରକ୍ଷା ପାଇଁ ରାସ୍ତାରେ ସ୍ପିଡ ବ୍ରେକର ମଧ୍ୟ ଲଗାଇଛି । ଏପରିକି କୃଷ୍ଣସାର ମୃଗଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ସହାୟତା ରାଶି ମଧ୍ୟ ଦିଆଯାଉଛି । ତେଣୁ ଏମାନଙ୍କ ସଖ୍ୟା ବଢୁଛି । ହେଲେ ଚିନ୍ତା ବଢାଉଛି ଏମାନଙ୍କ ଚାରଣ ଭୁମି ଉପରେ ଜମି ମାଫିଆଙ୍କ ନଜର । ତାସହ ଫସଲକୁ ମୃଗଙ୍କ କବଳରୁ ରକ୍ଷା କରିବା ପାଇଁ ଚାଷୀମାନେ ଘେରାଇଥିବା ତାର ଜାଲ ବି ଏମାନଙ୍କ ପାଇଁ କାଳ ସାଜିଛି । ଏହାସହ ଗାଁ ଭିତରକୁ ଚାଲି ଆସୁଥିବା କିଛି ମୃଗ କୁକୁର ଆକ୍ରମଣର ଶିକାର ହେଉଛନ୍ତି । ଏ ସବୁ ଦିଗରେ ଆଉ ଟିକେ ଧ୍ୟାନ ଦିଆଗଲେ, କୃଷ୍ଣସାର ମୃଗଙ୍କ ପାଇଁ ଗଞ୍ଜାମ ଆହୁରି ସୁରକ୍ଷିତ ସ୍ଥାନ ହୋଇପାରିବ ।